Spread the love

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଭୂସ୍ବର୍ଗ ପାକିସ୍ତାନର ପ୍ରକୃତି ପରିବର୍ତ୍ତନ ହେଉନାହିଁ। ଶୀତଦିନେ ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ ପାଇଁ ପାକିସ୍ତାନ ଷଡ଼ଯନ୍ତ୍ର କରୁଛି । ସୀମା ଆରପଟେ ଶତାଧିକ ଆତଙ୍କବାଦୀ ସଜାଗ ରହିଛନ୍ତି ଏବଂ ସୁଯୋଗକୁ ଅପେକ୍ଷା କରିଛନ୍ତି । ଶୀତ ବଢ଼ିଲେ, ସେମାନେ ସୀମା ଡେଇଁ ଭାରତରେ ପଶିବାକୁ ଯୋଜନା ବି କରୁଛନ୍ତି । ଏନେଇ ଭାରତୀୟ ଗୁଇନ୍ଦା ଏଜେନ୍ସିଗୁଡ଼ିକ ସତର୍କ କରାଇଛନ୍ତି । ଆକଳନ ଅନୁଯାୟୀ, ପାକିସ୍ତାନ ଅଧିକୃତ କଶ୍ମୀରର ବିଭିନ୍ନ ଲଞ୍ଚପ୍ୟାଡରେ ବର୍ତ୍ତମାନ ପ୍ରାୟ ୫୦୦ ଜଣ ଆତଙ୍କବାଦୀ ଅଛନ୍ତି।

ପାକ୍‌ ସେନା ଯୋଗାଇଦେଉଛି ସୁବିଧା
ଶୀତଦିନେ ସେମାନେ ଜମ୍ମୁକଶ୍ମୀରକୁ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରିପାରନ୍ତି। ସୁରକ୍ଷା ବାହିନୀର ନଜର ଏଡ଼ାଇବା ପାଇଁ ଏହି ଆତଙ୍କବାଦୀମାନଙ୍କୁ ୩ ରୁ ୪ ଜଣିଆ ଛୋଟ ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ଗୁଇନ୍ଦା ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆତଙ୍କବାଦୀଙ୍କୁ ପ୍ରବଳ ଥଣ୍ଡାରେ ତିଷ୍ଠି ରହିବାକୁ ପାକିସ୍ତାନୀ ସେନା ବିଶେଷ ଉପକରଣ ଯୋଗାଇ ଦେଇଛି । ଜୈଶ-ଏ-ମହମ୍ମଦ, ଲସ୍କର-ଏ-ତୋଇବା ଏବଂ ହିଜବୁଲ ମୁଜାହିଦିନ ଭଳି ଆତଙ୍କବାଦୀ ସଂଗଠନର ଆତଙ୍କବାଦୀ ଅନୁପ୍ରବେଶ ଲାଗି ପ୍ରସ୍ତୁତ ହୋଇ ରହିଛନ୍ତି ।

ତୁଷାରପାତକୁ ଅପେକ୍ଷା
ପାହାଡ଼ଗୁଡ଼ିକ ବରଫରେ ଢାଙ୍କି ହୋଇଗଲା ପରେ ସେମାନେ ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିବେ। ପିଓକେ ଲଞ୍ଚପ୍ୟାଡ୍‌ଗୁଡ଼ିକ ଆଖପାଖରେ ପାକିସ୍ତାନୀ ସୈନିକମାନଙ୍କୁ ମଧ୍ୟ ମୁତୟନ କରାଯାଇଛି। ଭାରତୀୟ ସେନାର ଗତିବିଧି ଏବଂ ଅନୁପ୍ରବେଶ ପାଇଁ ସମ୍ଭାବ୍ୟ ରାସ୍ତଗୁଡ଼ିକ ଉପରେ ନଜର ରଖିବା ପାଇଁ ସେମାନେ ଡ୍ରୋନ୍‌ର ବ୍ୟବହାର କରୁଛନ୍ତି। ଖାଇବର ପାଖତୁନଖ୍ୱା, PoK ଏବଂ ବଲୁଚିସ୍ତାନରେ ଜାରି ଅଶାନ୍ତି ଏବଂ ଅନ୍ତର୍ଜାତୀୟ ଚାପରୁ ଧ୍ୟାନ ହଟାଇବା ପାଇଁ ପାକିସ୍ତାନ ଏହି ଅନୁପ୍ରବେଶ ଯୋଜନା କରୁଛି।

ଭାରତୀୟ ସେନା ସଜାଗ
​​​​​​​
ସୀମାପାର କାର୍ଯ୍ୟକଳାପ ଏବଂ ଗୁଇନ୍ଦା ଇନପୁଟ୍ ପାଇବା ପରେ ଭାରତୀୟ ସେନାକୁ ହାଇ ଆଲର୍ଟରେ ରଖାଯାଇଛି। ଅନୁପ୍ରବେଶକୁ ପ୍ରତିହତ କରିବା ପାଇଁ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଢ଼ାଇ ଦିଆଯାଇଛି । ଏହାପୂର୍ବରୁ ଅକ୍ଟୋବର ୧୩ରେ ଜମ୍ମୁକଶ୍ମୀର ପୋଲିସ ଡିଜି ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷାକୁ ଅଧିକ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗୁଇନ୍ଦା ଏଜେନ୍ସି ଏବଂ ଅନ୍ୟାନ୍ୟ ସୁରକ୍ଷା ବାହିନୀ ମଧ୍ୟରେ ସମନ୍ୱୟ ରକ୍ଷାକରିବାକୁ ସେ ନିଜର ଅଧିକାରୀଙ୍କୁ କହିଛନ୍ତି । ତେବେ ଅନ୍ତର୍ଜାତୀୟସ୍ତରରେ ଆତଙ୍କବାଦକୁ ନେଇ ବାରମ୍ବାର ଅପଦସ୍ଥ ହେଉଥିବା ପାକିସ୍ତାନ, ସୁଧୁରିବାର ନାଁ ଧରୁନି ।

Leave a Reply

Your email address will not be published. Required fields are marked *