Spread the love

ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)କୁ ନେଇ ବିରୋଧୀ ଦଳମାନେ ସାରା ଦେଶରେ ଲଗାତାର ବିରୋଧ ପ୍ରଦର୍ଶନ କରୁଛନ୍ତି। ଏଥି ମଧ୍ୟରେ ବିଜେପି ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଆଗାମୀ ସପ୍ତାହରୁ ବିଜେପି ଏକ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଏହି ଅଭିଯାନର ଉଦ୍ଦେଶ୍ୟ କଂଗ୍ରେସ ଦ୍ୱାରା ଏସଆଇଆର ଏବଂ ଭାରତ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ସମ୍ପର୍କରେ କରାଯାଉଥିବା ଦାବିର ଜବାବ ରଖିବା ।

ଏହି ଅଭିଯାନରେ ବିଜେପି ଜନତାଙ୍କ ସାମ୍ନାରେ ତଥ୍ୟ ରଖିବ, ଯାହା ଦ୍ୱାରା ଏସଆଇଆର ଓ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟପ୍ରଣାଳୀକୁ ନେଇ ବିରୋଧୀ ଦଳ ଉଠାଉଥିବା ପ୍ରଶ୍ନ ଓ ଅଭିଯୋଗର ଜବାବ ଦିଆଯିବ। ପାର୍ଟିର ସାଂସଦ, ବିଧାୟକ ଓ ଅନ୍ୟ ବରିଷ୍ଠ ନେତାମାନଙ୍କୁ ନିଜନିଜ ନିର୍ବାଚନମଣ୍ଡଳିରେ ଏହି ଅଭିଯାନକୁ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚାଇବାର ଦାୟିତ୍ୱ ନ୍ୟସ୍ତ କରାଯାଇପାରେ। ବିଜେପି ଶୀର୍ଷ ସୂତ୍ର ଅନୁସାରେ ପାର୍ଟି ୨୪ ପୃଷ୍ଠାର ଏକ ବିସ୍ତୃତ ଡକ୍ୟୁମେଣ୍ଟ ପ୍ରସ୍ତୁତ କରୁଛି, ଯେଉଁଥିରେ ବିରୋଧୀ ଦଳଙ୍କ ପ୍ରଶ୍ନ ଓ ଅଭିଯୋଗର ଜବାବ ଦିଆଯାଇଛି।

ଏହି ଡକ୍ୟୁମେଣ୍ଟ ପାର୍ଟି ନେତା ଓ କାର୍ଯ୍ୟକର୍ତ୍ତାଙ୍କ ଲାଗି ଜନସମ୍ପର୍କ ଗତିବିଦ୍ଧି କାଳରେ ଏକ ସନ୍ଦର୍ଭ ସାମଗ୍ରୀ ଭାବେ କାମ କରିବ। ଏହି ଅଭିଯାନକୁ ସୋସିଆଲ ମିଡିଆ ଓ ଅନ୍ୟ ସଞ୍ଚାର ମାଧ୍ୟମ ଜରିଆରେ ମଧ୍ୟ ପ୍ରସାର କରାଯିବ, ଯାହାଦ୍ୱାରା ଅଧିକ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚାଯିବା ସହ ପ୍ରସଙ୍ଗରେ ପାର୍ଟିର ପକ୍ଷ ରଖା ଯାଇ ପାରିବ। ବିଜେପି ଏବେକା ଅଭିଯୋଗର ଜବାବ ଦେବା ସହିତ ସେହିସବୁ ଘଟଣା ଉଜାଗର କରିବାକୁ ଯୋଜନା କରୁଛି କଂଗ୍ରେସ ଶାସନରେ ଥାଇ ନିର୍ବାଚନ ଆୟୋଗ ଓ ଅନ୍ୟ ସଂସ୍ଥାଙ୍କ କିପରି ଦୂରୁପଯୋଗ କରିଥିଲା।

ପାର୍ଟି ଏହି ସବୁ ଉଦାହରଣକୁ କଂଗ୍ରେସ ସମାଲୋଚନାର ଜବାବ ଦେବା ଓ ଜନତାଙ୍କ ସାମ୍ନାରେ ନିଜର ପକ୍ଷ ରଖିବା ଲାଗି ଉପଯୋଗ କରିବ। ବିଜେପିର ଏହି ଅଭିଯାନରେ ସାରା ଦେଶରେ ପାର୍ଟିର ନେତା, ସଙ୍ଗଠନାତ୍ମକ ୟୁନିଟର ସମନ୍ୱିତ ପ୍ରୟାସ ସାମିଲ ହେବ। ଏଥିରେ ତଥ୍ୟାତ୍ମକ ସୂଚନା ଉପରେ ମୁଖ୍ୟତଃ ଜୋର ଦିଆଯିବ। ବିଜେପି ପକ୍ଷରୁ ଏପରି ଉଦ୍ୟମ ସେତେବେଳେ କରାଯାଉଛି ଯେତେବେଳେ ଏସଆଇଆର ଓ ନିର୍ବାଚନ ଆୟୋଗଙ୍କ ଭୂମିକାକୁ ନେଇ ଦେଶରେ ରାଜନୈତିକ ବିତର୍କର ସୂତ୍ରପାତ ହୋଇଛି। ବିଜେପି ଏକ ସମନ୍ୱିତ ରାଷ୍ଟ୍ରବ୍ୟାପୀ ଜନସମ୍ପର୍କ କାର୍ଯ୍ୟକ୍ରମ ମାଧ୍ୟମରେ ନିଜର ଜବାବ ସିଧା ଜନତାଙ୍କ ପର୍ଯ୍ୟନ୍ତ ପହଞ୍ଚାଇବାକୁ ପ୍ରସ୍ତୁତି କରୁଛି।

Leave a Reply

Your email address will not be published. Required fields are marked *