ନୂଆଦିଲ୍ଲୀ : ଦିଲ୍ଲୀର ଜନ୍ତରମନ୍ତରରେ ସିଜେପିର ପ୍ରତିବାଦ ନେଇ ପୋଲିସ ଛାଉଣୀ, ଲକଡାଉନ ଭଳି ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୪୦ ହଜାର ସୁରକ୍ଷାକର୍ମୀ ମୁତୟନ, ଇଣ୍ଟରନେଟ୍ ଓ ମେଟ୍ରୋ ସେବା ଉପରେ କଟକଣା ଲାଗିଛି । ଦିଲ୍ଲୀ ସୀମାରେ କଡ଼ା ଯାଞ୍ଚ ସହ ରାସ୍ତାରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି । ଆନ୍ଦୋଳନ ପାଇଁ ଦିଲ୍ଲୀ ଆସୁଥିବା ଲୋକଙ୍କ ଉପରେ ରହିଛି ପୋଲିସର କଡ଼ା ନଜର ।
ଜନ୍ତରମନ୍ତର, ଜନପଥ, କନଟ୍ ପ୍ଲେସ୍, ପଟେଲ ଚୌକ, ନିର୍ବାଚନ କମିଶନ କାର୍ଯ୍ୟାଳୟ ଓ ଆଖପାଖ ଅଞ୍ଚଳରେ ସୁରକ୍ଷା ବଢ଼ାଯାଇଛି । ଜନ୍ତରମନ୍ତରକୁ ଯିବା ରାସ୍ତାରେ ସାତସ୍ତରୀୟ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ପ୍ରତିବାଦକାରୀଙ୍କୁ ଅଟକ ରଖିବା ପାଇଁ ଅସ୍ଥାୟୀ କେନ୍ଦ୍ର ଓ ବସ୍ ର ବ୍ୟବସ୍ଥା ମଧ୍ୟ ରହିଛି । ଦିଲ୍ଲୀ-ଗୁରୁଗ୍ରାମ, ଦିଲ୍ଲୀ-ନୋଏଡା ଓ ଉତ୍ତରପ୍ରଦେଶ ସଂଯୋଗ କରୁଥିବା ରାସ୍ତାରେ ଯାନବାହନ ଯାଞ୍ଚ କଡ଼ାକଡ଼ି ହୋଇଛି । କେତେକ ରାସ୍ତାରେ ଯାତାୟାତ କଟକଣା ଓ ଡାଇଭର୍ସନ ଲାଗୁ କରାଯାଇଛି ।
ଇଣ୍ଟରନେଟ୍ ସେବା ଉପରେ କଟକଣା ଏବଂ ମେଟ୍ରୋ ସେବା ବନ୍ଦ ଭଳି ପଦକ୍ଷେପ ନିଆଯାଇଛି । ପ୍ରତିବାଦକାରୀମାନେ ଯେପରି ବହୁ ସଂଖ୍ୟାରେ ଦିଲ୍ଲୀରେ ଏକାଠି ହୋଇପାରିବେ ନାହିଁ, ସେଥିପାଇଁ ପ୍ରଶାସନ ବିଶେଷ ସତର୍କତା ଅବଲମ୍ବନ କରିଛି । ଗୁରୁତ୍ୱପୂର୍ଣ୍ଣ ରାସ୍ତା, ପ୍ରବେଶ ପଥ ଓ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇ ଛି। ଆନ୍ଦୋଳନ ପାଇଁ ଦିଲ୍ଲୀରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ୪୫ଟି ମେଟ୍ରୋ ଷ୍ଟେସନରେ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲଗାଯାଇଛି ।
ଜନପଥ-କର୍ତ୍ତବ୍ୟ ପଥ ଅଞ୍ଚଳର ୪ କିଲୋମିଟର ପରିଧିରେ ମୋବାଇଲ୍ ଇଣ୍ଟରନେଟ୍ ସେବା ଉପରେ ଅସ୍ଥାୟୀ କଟକଣା ଲଗାଯାଇଛି । କନଟ୍ ପ୍ଲେସ୍ ସମେତ କେତେକ ବଜାରରେ ଦୋକାନ ବନ୍ଦ ରଖିବାକୁ ପରାମର୍ଶ ଦିଆଯାଇଛି । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ CJP ଏହି ଆନ୍ଦୋଳନ ଡାକରା ଦେଇଛି । SIR ପ୍ରକ୍ରିୟାରେ ଅନିୟମିତତା ଏବଂ ବହୁ ଭୋଟରଙ୍କ ନାମ ବାଦ୍ ପଡ଼ିଥିବା ଅଭିଯୋଗ କରିଛି ସଂଗଠନ । ତେବେ ନିର୍ବାଚନ କମିଶନ ଓ ବିଜେପି ଏହି ଅନିୟମିତତା ଅଭିଯୋଗକୁ ଖଣ୍ଡନ କରିଛନ୍ତି ।