ଦିଲ୍ଲୀ: ଉତ୍ତର ପ୍ରଦେଶରେ ହେବାକୁ ଥିବା ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ନିଜର ୮ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିବା ସହ ସମସ୍ତଙ୍କୁ ଚକିତ କରିଦେଇଛି। ଏହି ନୂଆ ତାଲିକାରେ ଦଳ ନିଜର ସମସ୍ତ ୮ ଜଣ ପୁରୁଣା ସାଂସଦଙ୍କୁ ବାଦ୍ ଦେଇ ସମ୍ପୂର୍ଣ୍ଣ ନୂଆ ଚେହେରାଙ୍କୁ ସୁଯୋଗ ଦେଇଛି। ବାଦ୍ ପଡ଼ିଥିବା ନେତାମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଏବଂ ବିଏଲ ବର୍ମାଙ୍କ ଭଳି ହେଭିୱେଟ୍ ନେତା ରହିଛନ୍ତି।
ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ଅନ୍ୟ ନେତାମାନଙ୍କ ମଧ୍ୟରେ ଅରୁଣ ସିଂହ, ନୀରଜ ଶେଖର, ଗୀତା ଶାକ୍ୟ, ବ୍ରଜଲାଲ, ସୀମା ଦ୍ୱିବେଦୀ ଏବଂ ହରଦୀପ ସିଂହ ପୁରୀ ଓ ବିଏଲ ବର୍ମା ପ୍ରମୁଖ ସାମିଲ ଅଛନ୍ତି। ଏହି ପୁରୁଣା ଚେହେରାଙ୍କ ସ୍ଥାନରେ ଦଳ ସମ୍ପୂର୍ଣ୍ଣ ନୂଆ ନେତାଙ୍କୁ ମୈଦାନକୁ ଓହ୍ଲାଛି। ବିଜେପି ପକ୍ଷରୁ ଧର୍ମପାଲ ସିଂହ, ରାଧାକାନ୍ତ ଓଝା, ପ୍ରକାଶ ପାଲ, ବିଦ୍ୟାସାଗର ସୋନକର, ଗୋପୀ କୃଷ୍ଣ ପାଣ୍ଡେ, ପ୍ରିୟଙ୍କା ସିଂହ ରାୱତ, ରାମ ପ୍ରତାପ ସିଂହ ଚୌହାନ ଏବଂ ଶ୍ରୁତି ଗଙ୍ଗୱାରଙ୍କୁ ପ୍ରାର୍ଥୀ କରାଯାଇଛି।
୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ନିଜର ସାଙ୍ଗଠନିକ ଏବଂ ଜାତିଗତ ସମୀକରଣକୁ ମଜବୁତ କରିବା ପାଇଁ ଏହି ବଡ଼ ନିଷ୍ପତ୍ତି ନେଇଥିବା ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି। ଏହି ନୂଆ ତାଲିକାରେ ଓବିସି ଓ ଦଳିତ ସମ୍ପ୍ରଦାୟର ନେତାଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି, ଯାହା ବିରୋଧୀ ସମାଜବାଦୀ ପାର୍ଟିର ପଛୁଆ ଦଳିତ, ଅଳ୍ପ ଆଭିମୁଖ୍ୟର ଜବାବ ଦେବା ପାଇଁ ଗୋଟିଏ ବଡ଼ ନୀତି ବୋଲି କୁହାଯାଉଛି।
ଉତ୍ତର ପ୍ରଦେଶରୁ ଖାଲି ହେଉଥିବା ୧୦ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। ବିଜେପି ନିଜର ସଂଖ୍ୟାବଳ ଆଧାରରେ ୮ଟି ଆସନରେ ସହଜ ବିଜୟ ହାସଲ କରିବା ନିଶ୍ଚିତ ମନେହେଉଛି। ସେହିପରି ସମାଜବାଦୀ ପାର୍ଟି ଦୁଇଟି ଆସନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିସାରିଛି। ତେବେ କେନ୍ଦ୍ରୀୟ ମନ୍ତ୍ରୀମାନଙ୍କୁ ରାଜ୍ୟସଭା ଟିକେଟ୍ ନମିଳିବା ପରେ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରେ ବଡ଼ ଧରଣର ଅଦଳବଦଳ ହେବାର ସମ୍ଭାବନା ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।