କଟକ: କଟକ ସହରରେ ଅପମିଶ୍ରିତ ପନିର ବିକ୍ରି ନେଇ ଚାଲିଥିବା ଚଢ଼ଉରେ ଜବତ ହୋଇଥିବା ପନିର ନମୁନାକୁ ନେଇ ଆସିଛି ଚାଞ୍ଚଲ୍ୟକର ଟେଷ୍ଟ ରିପୋର୍ଟ । କଟକ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଜବତ କରାଯାଇଥିବା ପ୍ରାୟ ୭୩ କୁଇଣ୍ଟାଲ ପନିର ଖାଇବା ପାଇଁ ଅନୁପଯୁକ୍ତ ବୋଲି ନମୁନା ଟେଷ୍ଟ ରିପୋର୍ଟରୁ ଜଣାପଡ଼ିଛି । କଟକ ସହରରେ ଅପମିଶ୍ରିତ ପନିର ବିକ୍ରି ଓ ଯୋଗାଣ ନେଇ ଅଭିଯୋଗ ପରେ କେଏମସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା । ଏହି ଚଢ଼ଉ ସମୟରେ ବିପୁଳ ପରିମାଣର ପନିର ଜବତ କରାଯିବା ସହ ଏହାର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ହରିୟାଣାସ୍ଥିତ ଲ୍ୟାବ୍ କୁ ପଠାଯାଇଥିଲା । ଏବେ ଆସିଥିବା ପରୀକ୍ଷା ରିପୋର୍ଟରେ ଜବତ ପନିର ଖାଦ୍ୟ ଭାବେ ଉପଯୋଗ ପାଇଁ ଅନୁପଯୁକ୍ତ ବୋଲି ଜଣାପଡ଼ିଛି । ରିପୋର୍ଟ ଅନୁଯାୟୀ ପନିରରେ ମଇଦା ଓ ଡିଟରଜେଣ୍ଟ ମିଶିଥିବା ଜଣାପଡିଛି ।
ରିପୋର୍ଟ ମିଳିବା ପରେ ଏହାକୁ ଫୁଡ୍ ସେଫଟି କମିଶନରଙ୍କ ନିକଟକୁ ପଠାଯାଇଛି । କମିଶନରଙ୍କ ନିର୍ଦ୍ଦେଶ ମିଳିବା ପରେ ଏହି ଘଟଣାରେ ଆଇନ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି କଟକ ମହାନଗର ନିଗମ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନୃପେନ୍ଦ୍ର କୁମାର ଶତପଥୀ । ତାଙ୍କ ସୂଚନା ଅନୁଯାୟୀ, ଚଢ଼ଉ ସମୟରେ ଜବତ ହୋଇଥିବା ପନିରର ନମୁନା ପରୀକ୍ଷା ପାଇଁ ହରିୟାଣା ଲ୍ୟାବ୍ କୁ ପଠାଯାଇଥିଲା । ଏହାର ରିପୋର୍ଟ ଆସିବା ପରେ ଫୁଡ୍ ସେଫଟି କମିଶନରଙ୍କୁ ପଠାଯାଇଛି । ନିର୍ଦ୍ଦେଶ ଆସିବା ପରେ ଆଇନଗତ ପଦକ୍ଷେପ ନିଆଯିବ । ୭୩ କୁଇଣ୍ଟାଲ ଭଳି ବିପୁଳ ପରିମାଣର ପନିର ଖାଇବା ପାଇଁ ଅନୁପଯୁକ୍ତ ଥିବା ରିପୋର୍ଟ ଆସିବା ପରେ କଟକ ସହରରେ ବିକ୍ରି ହେଉଥିବା ପନିରର ମାନକୁ ନେଇ ପ୍ରଶ୍ନ ଉଠିଛି । ଆଗକୁ ମଧ୍ୟ ଅପମିଶ୍ରିତ ଓ ଅସୁରକ୍ଷିତ ଖାଦ୍ୟ ବିରୋଧରେ ଚଢ଼ଉ ଜାରି ରହିବ ବୋଲି କଟକ ମହାନଗର ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି ।