Spread the love

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର । ଦିଲ୍ଲୀରେ ବଢ଼ୁଥିବା ପିଆଜ ଦର ମଧ୍ୟରେ ଏବେ ଲୋକଙ୍କୁ ଆଉ କିଲୋ ପିଛା ୫୦ କିମ୍ବା ୬୦ ଟଙ୍କାରେ ପିଆଜ କିଣିବାକୁ ପଡ଼ିବ ନାହିଁ । କାହିଁକିନା ପିଆଜ ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଦିଲ୍ଲୀକୁ ୧୦୦୦ ମେଟ୍ରିକ୍ ଟନ୍‌, ଅର୍ଥାତ୍ ୧୦ ଲକ୍ଷ କିଲୋଗ୍ରାମ ପିଆଜ ଯୋଗାଇବେ ।

ସବୁଠାରୁ ବଡ଼ କଥା ହେଉଛି, ସରକାର ପିଆଜର ଦର ଧାର୍ଯ୍ୟ କରିଛନ୍ତି । ଲୋକଙ୍କୁ କିଲୋପିଛା ୩୫ ଟଙ୍କାରେ ପିଆଜ ବିକ୍ରି କରାଯିବ । ଦିଲ୍ଲୀ ସରକାରଙ୍କ ଅନୁସାରେ, କେନ୍ଦ୍ରରୁ ଆସୁଥିବା ପିଆଜ ଉଚିତ୍ ଦର ଦୋକାନ ମାଧ୍ୟମରେ ବିକ୍ରି ହେବ । ଏଠାରେ ବଜାର ଦରଠାରୁ କମ୍‌ ମୂଲ୍ୟରେ ଉପଭୋକ୍ତାଙ୍କୁ ୩୫ ଟଙ୍କା କିଲୋରେ ପିଆଜ ମିଳିବ ।

୧୩ ଜିଲ୍ଲାରେ ଭ୍ୟାନ୍‌ରେ ମଧ୍ୟ ବିକ୍ରି:
ଶସ୍ତା ପିଆଜ କେବଳ ରାସନ ଦୋକାନରେ ସୀମିତ ରହିବ ନାହିଁ । ଦିଲ୍ଲୀର ସମସ୍ତ ୧୩ଟି ଜିଲ୍ଲାରେ ଗୋଟିଏ ଲେଖାଏଁ ମୋବାଇଲ୍ ଭ୍ୟାନ୍‌ ମାଧ୍ୟମରେ ମଧ୍ୟ ପିଆଜ ବିକ୍ରି କରାଯିବ । ଏହି ଭ୍ୟାନ୍‌ଗୁଡ଼ିକ ବିଭିନ୍ନ ଅଞ୍ଚଳକୁ ଯାଇ ୩୫ ଟଙ୍କା କିଲୋ ଦରରେ ପିଆଜ ଯୋଗାଇବ ।

ପିଆଜ ଦର ଓ ଯୋଗାଣ ଉପରେ ସରକାରଙ୍କ ନଜର:
ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ଯେ, ଦିଲ୍ଲୀରେ ପିଆଜ ସଙ୍କଟ ସୃଷ୍ଟି ହେବାକୁ ଦିଆଯିବ ନାହିଁ । ସରକାର ପିଆଜର ଦର ଓ ଉପଲବ୍ଧତା ଉପରେ ନିରନ୍ତର ନଜର ରଖିଛି । ସରକାରଙ୍କ ଲକ୍ଷ୍ୟ ହେଉଛି, ଦିଲ୍ଲୀରେ ପିଆଜର କୌଣସି ଅଭାବ ନହେଉ ଏବଂ ସାଧାରଣ ଲୋକଙ୍କୁ କିଲୋପିଛା ୩୫ ଟଙ୍କା ଦରରେ ପିଆଜ ମିଳୁ ।

Leave a Reply

Your email address will not be published. Required fields are marked *