ଭୁବନେଶ୍ୱର: କେବିକେ ଅଞ୍ଚଳରେ ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଭିତ୍ତିଭୂମି ବିକାଶ ପାଣ୍ଠି (ଇନ୍ଫ୍ରାଷ୍ଟ୍ରକ୍ଚର ଡେଭେଲପମେଣ୍ଟ ଫଣ୍ଡ-ଆଇଡିଏଫ୍)ରେ ୧୩୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି।
ଏହି ପାଣ୍ଠିରେ ଜଳସେଚନ, ଆନ୍ତଃଜିଲ୍ଲା ରାସ୍ତା, ଗୁରୁତ୍ୱପୂର୍ଣ୍ଣ ଗ୍ରାମ୍ୟ ରାସ୍ତା, ପାନୀୟଜଳ ଯୋଗାଣ ଏବଂ ଏସ୍ଟି/ଏସ୍ସି ସ୍କୁଲ୍ କୋଠା ଓ ଛାତ୍ରାବାସର ବିକାଶ କରାଯିବ। ଏନେଇ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ପୂର୍ତ୍ତ, ଜଳ ସମ୍ପଦ, ପଞ୍ଚାୟତିରାଜ ଓ ପାନୀୟଜଳ, ମହିଳା ଓ ଶିଶୁ ବିକାଶ, ଗ୍ରାମ୍ୟ ଉନ୍ନୟନ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ ଏବଂ ମିଶନ୍ ଶକ୍ତି ବିଭାଗକୁ ପ୍ରକଳ୍ପ ପ୍ରସ୍ତାବ ଦାଖଲ ପାଇଁ ଚିଠି ହୋଇଛି।
ତେବେ ନିର୍ଦ୍ଧାରିତ ନିୟମାବଳୀ ଅନୁଯାୟୀ ସେପ୍ଟେମ୍ବର ୫ ସୁଦ୍ଧା ପ୍ରସ୍ତାବ ଦାଖଲ କରିବାକୁ କୁହାଯାଇଛି। ହାର୍ଡ କପି ସହ ସଫ୍ଟ କପି ମଧ୍ୟ ଦାଖଲ କରିବାକୁ ହେବ। ପ୍ରସ୍ତାବର ବିଚାର ଓ ଅନୁମୋଦନ ପରେ ପାଣ୍ଠି ମୁକ୍ତ କରାଯିବ।
କେବିକେ ଅଞ୍ଚଳର ଆଠଟି ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ଅବିଭକ୍ତ କଳାହାଣ୍ଡିରୁ କଳାହାଣ୍ଡି ଓ ନୂଆପଡ଼ା, ଅବିଭକ୍ତ ବଲାଙ୍ଗିରରୁ ବଲାଙ୍ଗିର ଓ ସୁବର୍ଣ୍ଣପୁର ଏବଂ ଅବିଭକ୍ତ କୋରାପୁଟରୁ କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡ଼ା ଏହି ଅଞ୍ଚଳରେ ସାମିଲ। ଏହି ଅଞ୍ଚଳରେ ଭିତ୍ତିଭୂମିର ଅଭାବ ଦୂର କରି ଆର୍ଥିକ ଓ ସାମାଜିକ ବିକାଶକୁ ତ୍ୱରାନ୍ୱିତ କରିବା ଯୋଜନାର ମୁଖ୍ୟ ଲକ୍ଷ୍ୟ।
ଯୋଜନା ଅଧୀନରେ ଗୁରୁତ୍ୱପୂର୍ଣ୍ଣ ରାସ୍ତା ଓ ସେତୁ, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଏସ୍ଟି/ଏସ୍ସି ସ୍କୁଲ୍ ଓ ଛାତ୍ରାବାସର ଭିତ୍ତିଭୂମି ଏବଂ ନିରାପଦ ପାନୀୟଜଳ ଯୋଗାଣକୁ ପ୍ରାଥମିକତା ମିଳିବ। ଏହାଦ୍ୱାରା ସ୍ଥାନୀୟ ଲୋକଙ୍କ ଜୀବନଧାରଣର ମାନ ବଢ଼ାଇବା ସହ ଅଞ୍ଚଳକୁ ଅନ୍ୟ ବିକଶିତ ଅଞ୍ଚଳ ସହ ସମକକ୍ଷ କରିବା ଲକ୍ଷ୍ୟ ରହିଛି।