Spread the love

ନୂଆଦିଲ୍ଲୀ: ଭେନେଜୁଏଲାକୁ ନେଇ ଆମେରିକାର ବଡ଼ ପଦକ୍ଷେପ। ଭେନେଜୁଏଲାର ପ୍ରାୟ ୬୫ ବିଲିୟନ ବ୍ୟାରେଲ ଅଶୋଧିତ ତୈଳ ଭଣ୍ଡାର ଉପରେ ଆମେରିକା ନିୟନ୍ତ୍ରଣ ନେବ ବୋଲି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ଏହାକୁ ସେ “ବିଶ୍ୱ ଇତିହାସର ସବୁଠାରୁ ବଡ଼ ତୈଳ ଚୁକ୍ତି” ବୋଲି ଦାବି କରିଛନ୍ତି।

ଟ୍ରମ୍ପ ଶୁକ୍ରବାର ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ’ରେ ଏନେଇ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ଏହି ଚୁକ୍ତି ଦ୍ୱାରା ଆମେରିକାର ତୈଳ ଭଣ୍ଡାର ଦୁଇଗୁଣରୁ ଅଧିକ ବଢ଼ିବ ଏବଂ ଦେଶର ତୈଳ ଯୋଗାଣ ବୃଦ୍ଧି ପାଇବ। ଏହା ଫଳରେ ଆମେରିକାରେ ଦୀର୍ଘ ସମୟ ପାଇଁ ପେଟ୍ରୋଲ-ଡିଜେଲ ଦର କମିବାରେ ସହାୟତା ମିଳିପାରେ ବୋଲି ଟ୍ରମ୍ପ କହିଛନ୍ତି।

ରିପୋର୍ଟ ଅନୁସାରେ, ଆମେରିକୀୟ କମ୍ପାନୀଗୁଡ଼ିକୁ ଭେନେଜୁଏଲାର ତୈଳ କ୍ଷେତ୍ରରେ ନିବେଶ ଓ ବିକାଶ କରିବାକୁ ସୁଯୋଗ ମିଳିବ। ଏହା ବଦଳରେ ଆମେରିକୀୟ ପକ୍ଷକୁ ତୈଳ କ୍ଷେତ୍ରରେ ମାଲିକାନା ଅଂଶୀଦାରିତ୍ୱ ମିଳିବ ବୋଲି ଦୁଇଜଣ ଆମେରିକୀୟ ଅଧିକାରୀଙ୍କୁ ଉଦ୍ଧୃତ କରି ଆକ୍ସଅସ୍ ରିପୋର୍ଟ କରିଛି। ଟ୍ରମ୍ପ କହିଛନ୍ତି, ଆମେରିକାର ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ ଏବଂ ଯୁଦ୍ଧ ମନ୍ତ୍ରୀ ପିଟ୍ ହେଗସେଥ୍ ଭେନେଜୁଏଲାର ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜଙ୍କ ସହ ଏହି ଚୁକ୍ତି ନେଇ ଘନିଷ୍ଠ ଭାବେ କାମ କରୁଛନ୍ତି।

ଭେନେଜୁଏଲା ବିଶ୍ୱର ସର୍ବବୃହତ ତୈଳ ଭଣ୍ଡାର ଥିବା ଦେଶଗୁଡ଼ିକ ମଧ୍ୟରେ ଅନ୍ୟତମ। ଆମେରିକାର ଆମେରିକାର ଶକ୍ତି ସୂଚନା ପ୍ରଶାସନ (EIA) ଆକଳନ ଅନୁସାରେ, ଭେନେଜୁଏଲା ପାଖରେ ପ୍ରାୟ ୩୦୩ ବିଲିୟନ ବ୍ୟାରେଲ ଅଶୋଧିତ ତୈଳ ରହିଛି। ଏହା ବିଶ୍ୱର ମୋଟ ତୈଳ ଭଣ୍ଡାରର ପ୍ରାୟ ୧୭ ପ୍ରତିଶତ। ତେବେ ଏତେ ବଡ଼ ଭଣ୍ଡାର ଥିବା ସତ୍ତ୍ୱେ ଭେନେଜୁଏଲାର ତୈଳ ଉତ୍ପାଦନ ବହୁତ କମ୍। ଦୁର୍ବଳ ଭିତ୍ତିଭୂମି ଓ ଅନ୍ୟାନ୍ୟ ସମସ୍ୟା କାରଣରୁ ଦେଶଟି ବିଶ୍ୱର ମୋଟ ତୈଳ ଉତ୍ପାଦନର ମାତ୍ର ପ୍ରାୟ ୧ ପ୍ରତିଶତ ଉତ୍ପାଦନ କରୁଛି।

ଆମେରିକୀୟ ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି, ଏହି ଚୁକ୍ତି ଭେନେଜୁଏଲାର ଅର୍ଥନୀତିକୁ ପୁଣି ଗଢ଼ିବାରେ ସହାୟକ ହେବ। ତାଙ୍କ ଅନୁସାରେ, ଏହି ଚୁକ୍ତି ମାଧ୍ୟମରେ ଭେନେଜୁଏଲାକୁ ପ୍ରାୟ ୧୦୦ ବିଲିୟନ ଡଲାରର ବେସରକାରୀ ନିବେଶ ଆସିପାରେ। ଏହା ସହ ହଜାର ହଜାର ଉଚ୍ଚ ବେତନର ଚାକିରି ସୃଷ୍ଟି ହେବା ସହ ଭେନେଜୁଏଲାର ଅର୍ଥନୀତିର ପୁନର୍ନିର୍ମାଣକୁ ଗତି ମିଳିବ ବୋଲି ରୁବିଓ କହିଛନ୍ତି।

ତେବେ ଏହି ଚୁକ୍ତି ନେଇ ଭେନେଜୁଏଲା ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବେ କୌଣସି ନିଶ୍ଚିତିକରଣ ଦିଆଯାଇନାହିଁ। ଚୁକ୍ତିର ସମ୍ପୂର୍ଣ୍ଣ ସର୍ତ୍ତ ଓ ଆମେରିକା କିପରି ୬୫ ବିଲିୟନ ବ୍ୟାରେଲ ତୈଳ ଭଣ୍ଡାର ଉପରେ ନିୟନ୍ତ୍ରଣ ନେବ, ସେନେଇ ମଧ୍ୟ ବିସ୍ତୃତ ତଥ୍ୟ ସାମ୍ନାକୁ ଆସିନାହିଁ।

ଟ୍ରମ୍ପଙ୍କ ଏହି ଘୋଷଣା ଭେନେଜୁଏଲାର ବିଶାଳ ତୈଳ ସମ୍ପଦ ଉପରେ ଆମେରିକାର ଆଗ୍ରହକୁ ପୁଣି ଥରେ ସାମ୍ନାକୁ ଆଣିଛି। ଆଗାମୀ ଦିନରେ ଏହି ଚୁକ୍ତିର ସର୍ତ୍ତ, ନିବେଶ ଏବଂ ତୈଳ ଉତ୍ପାଦନ ଉପରେ ଏହାର ପ୍ରଭାବ କ’ଣ ରହିବ, ତାହା ଉପରେ ସମସ୍ତଙ୍କ ନଜର ରହିବ।

Leave a Reply

Your email address will not be published. Required fields are marked *