ଜୟପୁର : କୋରାପୁଟ ଜିଲା ବୋରିଗୁମ୍ମା ଥାନା ଅଞ୍ଚଳରେ ଏକ ବଡ଼ଧରଣର ଅପରାଧିକ ଷଡ଼ଯନ୍ତ୍ରକୁ ପୁଲିସ ପଣ୍ଡ କରିଛି। କୌଣସି ସିନେମାର ଦୃଶ୍ୟ ଭଳି ଗତକାଲି ବିଳମ୍ବିତ ରାତିରେ ଡକାୟତ ଦଳ ଓ ପୁଲିସ ମଧ୍ୟରେ ମୁହାଁମୁହିଁ ହୋଇଛି। କିନ୍ତୁ ଅନ୍ଧାରର ସୁଯୋଗ ନେଇ ଡକାୟତମାନେ ପୁଲିସ ଗାଡ଼ି ଭାଙ୍ଗି ଫେରାର୍ ହେବାରେ ସଫଳ ହୋଇଛନ୍ତି। ଗତରାତିରେ ବୋରିଗୁମ୍ମା ଛକ ନିକଟରେ ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ସନ୍ଦେହ ହେବାରୁ ଏକ ଗାଡ଼ିକୁ ଅଟକାଇବାକୁ ଉଦ୍ୟମ କରିଥିଲା। କିନ୍ତୁ ଗାଡ଼ିଟି ଅଟକିବା ବଦଳରେ ଅତି ଦ୍ରୁତଗତିରେ ସେଠାରୁ ଖସିଯିବାକୁ ଉଦ୍ୟମ କରିଥିଲା। ପୁଲିସ ତୁରନ୍ତ ସେମାନଙ୍କର ପିଛା କରି ୧୦ କିମି ପର୍ଯ୍ୟନ୍ତ ଗୋଡ଼ାଇଥିଲା। ଶେଷରେ କାମରା ଗାଁ ଶ୍ମଶାନ ରାସ୍ତା ନିକଟରେ ଆଗକୁ ଆଉ ରାସ୍ତା ନଥିବାରୁ ସେଥିରେ ଥିବା ଏକ ଡକାୟତ ଦଳ ବାଧ୍ୟ ହୋଇ ଗାଡ଼ି ଅଟକାଇଥିଲେ। ସେଠାରୁ ଖସିଯିବାକୁ ସେମାନେ ଗାଡ଼ିରୁ ମାରଣାସ୍ତ୍ର ବାହାର କରି ପୁଲିସ ଉପରେ ଆକ୍ରମଣ କରିଥିଲେ। ଡକାୟତମାନେ ପୁଲିସ ଗାଡ଼ିକୁ ଭଙ୍ଗାରୁଜା କରିବା ସହ ତାର ଚାବି ଛଡ଼ାଇ ନେଇଥିଲେ। ନିଜ ଗାଡ଼ିକୁ ସେହି ସ୍ଥାନରେ ଛାଡ଼ି ଅନ୍ଧାରର ସୁଯୋଗ ନେଇ ପାଖ ଜଙ୍ଗଲ ଭିତର ଦେଇ ଫେରାର୍ ହୋଇଯାଇଥିଲେ। ଖବର ପାଇ ରାତି ୨ଟାରୁ ପୁଲିସ ଏବଂ କାମରା ଅଞ୍ଚଳର ୨ଶହରୁ ଊର୍ଦ୍ଧ୍ୱ ଗ୍ରାମବାସୀ ମିଳିତ ଭାବେ ଜଙ୍ଗଲ ଓ ଆଖପାଖ ଅଞ୍ଚଳରେ ଡକାୟତଙ୍କୁ ଖୋଜାଖୋଜି ଜାରି ରଖିଥିଲେ। କୋରାପୁଟ ଆରକ୍ଷୀ ଅଧୀକ୍ଷକ ବୋରିଗୁମ୍ମାରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି। ଡକାୟତମାନେ ଏକ ବଡ଼ଧରଣର ଆପରାଧିକ ଘଟଣା ଘଟାଇବା ଯୋଜନାରେ ବାହାରିଥିଲେ ବୋଲି କୁହାଯାଉଛି। ଏନେଇ ପୁଲିସ ଅଧିକ ତଦନ୍ତ ଚଳାଇଛି।