ଆନ୍ଧ୍ରପ୍ରଦେଶ : ଚିର ନିଦ୍ରାରେ ପୂରା ପରିବାର । ଲଜ୍ ଭିତରୁ ଉଦ୍ଧାର ହେଲା ମୃତଦେହ। ଆନ୍ଧ୍ରପ୍ରଦେଶରେ ଦୁଃଖଦ ଘଟଣା। ଏକ ଲଜ୍ ରୁ ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହାକୁ ଗଣ-ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି। ଆନ୍ଧ୍ର ପ୍ରଦେଶରେ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀଶୈଳମ୍ ଅଞ୍ଚଳରେ ଘଟିଛି ଦୁଃଖଦ ଘଟଣା। ଏହି ପରିବାରଟି ଶ୍ରୀ ସତ୍ୟସାଇ ଜିଲ୍ଲାର ବାଥାଲାପଲ୍ଲୀ ଗାଁର ବୋଲି ଜଣାପଡ଼ିଛି।
ମୃତକମାନଙ୍କ ବୟସ ୧୫ ରୁ ୫୦ ବର୍ଷ ମଧ୍ୟରେ। ଏକ ଅଟୋରେ ଏହି ତୀର୍ଥକ୍ଷେତ୍ରକୁ ଆସି ଲଜ୍ ରେ ରହିଥିଲେ ପରିବାର। ଲଜ ଭିତରୁ ଉଦ୍ଧାର ହୋଇଛି ମୃତଦେହ। ତାଲା ପଡ଼ିଥିବା ରୁମ୍ ଭିତରୁ ଦୁର୍ଗନ୍ଧ ବାହାରିବାରୁ ହୋଟେଲ କର୍ମଚାରୀଙ୍କ ସନ୍ଦେହ ହୋଇଥିଲା। ପୋଲିସ ପହଞ୍ଚି କବାଟ ଖୋଲିବା ପରେ ଘର ଭିତରେ ୫ ଜଣଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥଇଲା। ୩ ଜଣ ମହିଳାଙ୍କ ମୃତଦେହ ବାଥ୍ ରୁମ୍ ଭିତରେ ପଡ଼ିଥିଲା।
ଅନ୍ୟ ୨ ଜଣଙ୍କ ମୃତଦେହ ଫ୍ୟାନ୍ ରେ ଝୁଲିଥିଲା। ଏମାନେ ଆତ୍ମହତ୍ୟା କରିଥିବା ସଂଦେହ କରାଯାଉଛି।ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ଏହି ପରିବାରଟି ଦୀର୍ଘ ଦିନ ହେବ ଆର୍ଥିକ ଅଭାବ ଅନାଟନ ଏବଂ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିଲା। ସୁଧାକର ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ। ଯିଏ କି ଅଟୋ ଚଳାଉଥିଲେ। ସେ ତାଙ୍କ ଭଉଣୀମାନଙ୍କ ପ୍ରତିପୋଷଣ କରୁଥିଲେ।
ଲଜ୍ କର୍ମଚାରୀଙ୍କ କହିବା ଅନୁସାରେ, ପୂର୍ବରୁ ରୁମ୍ ଖାଲି କରିବାକୁ କୁହାଯାଇଥିଲେ ମଧ୍ୟ ଦେହ ଖରାପ ଥିବା ଦର୍ଶାଇ ପରିବାର ଲୋକେ ଆଉ କିଛି ସମୟ ମାଗିଥିଲେ। ପୋଲିସ ଏହି ମାମଲାରେ ଏକ କେସ୍ ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ଅଛି କି ନାହିଁ ସେ ନେଇ ମଧ୍ୟ ଖୋଳତାଡ଼ କରୁଛି ପୋଲିସ।