Spread the love

ପ୍ରୟାଗରାଜ: ‘ଇସଲାମିକ୍ ଆସ୍ଥାର ଜରୁରୀ ଅଂଶ ନୁହେଁ ହିଜାବ’ ହିଜାବ ପିନ୍ଧିପାରିବେନି ମୁସଲିମ୍ ଛାତ୍ରୀ! ସ୍କୁଲ୍‌ର ନିର୍ଦ୍ଧାରିତ ୟୁନିଫର୍ମ ସହ ହିଜାବ ବା ମୁଣ୍ଡ ଢାଙ୍କିବା ପାଇଁ ସ୍କାର୍ଫ ପିନ୍ଧିବାକୁ ଅନୁମତି ଦାବି କରିଥିବା ଜଣେ ମୁସଲିମ ଛାତ୍ରୀଙ୍କ ଆବେଦନକୁ ଖାରଜ କରିଛନ୍ତି ଆହ୍ଲାବାଦ ହାଇକୋର୍ଟ। କୋର୍ଟ କହିଛନ୍ତି, ସ୍କୁଲ୍‌ରେ ହିଜାବ ପିନ୍ଧିବା ଇସଲାମର ଏକ ଅତ୍ୟାବଶ୍ୟକ ଧାର୍ମିକ ପ୍ରଥା ବୋଲି ପ୍ରମାଣିତ ହୋଇନାହିଁ।

ଜଷ୍ଟିସ୍ ଜେଜେ ମୁନିର ଓ ଜଷ୍ଟିସ୍ ଇନ୍ଦ୍ରଜିତ ଶୁକ୍ଳାଙ୍କ ଖଣ୍ଡପୀଠ ଅଗଷ୍ଟ ୨୧ରେ ଏହି ରାୟ ଦେଇଛନ୍ତି। ପ୍ରୟାଗରାଜର ଅତରସୁଇୟା ସ୍ଥିତ ଟାଗୋର ପବ୍ଲିକ୍ ସ୍କୁଲର ଜଣେ ଛାତ୍ରୀ ଏହି ମାମଲା କରିଥିଲେ। ଛାତ୍ରୀଙ୍କ ଦାବି ଥିଲା, ସେ ଷଷ୍ଠ ଶ୍ରେଣୀରୁ ହିଜାବ ପିନ୍ଧି ଆସୁଛନ୍ତି। କିନ୍ତୁ ସ୍କୁଲ୍‌ର ଡ୍ରେସ୍‌ କୋଡ୍‌ ଅନୁସାରେ ହିଜାବ ପିନ୍ଧିବାକୁ ଅନୁମତି ନମିଳିବାରୁ ତାଙ୍କୁ ଏକାଦଶ ଶ୍ରେଣୀରେ ଆଡମିଶନ ଦିଆଯାଇନଥିବା ସେ ଅଭିଯୋଗ କରିଥିଲେ।

ଯାହାର ଶୁଣାଣୀ କରି କୋର୍ଟ କହିଛନ୍ତି, ଧର୍ମର ସ୍ୱାଧୀନତା ସମ୍ବନ୍ଧୀୟ ସମ୍ବିଧାନର ଅନୁଚ୍ଛେଦ ୨୫ ଆଧାରରେ ଦାବି କରିବା ପାଇଁ ଆବଶ୍ୟକ ଧାର୍ମିକ ଓ ଆଇନଗତ ପ୍ରମାଣ ଛାତ୍ରୀଙ୍କ ପକ୍ଷରୁ ଦିଆଯାଇନଥିଲା। ହିଜାବ ନପିନ୍ଧିଲେ ଇସଲାମ ଧର୍ମର ମୌଳିକ ସ୍ୱରୂପ ପ୍ରଭାବିତ ହେବ, ଏଭଳି କୌଣସି ପ୍ରମାଣ ମଧ୍ୟ ରେକର୍ଡରେ ନଥିବା କୋର୍ଟ କହିଛନ୍ତି। ଏହାସହ କୋର୍ଟ ସ୍କୁଲ୍‌ର ୟୁନିଫର୍ମ ଓ ଡ୍ରେସ୍‌ କୋଡ୍‌ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ୟୁନିଫର୍ମ ଯଦି ସମାନ, ନିରପେକ୍ଷ ଓ ଶୃଙ୍ଖଳା ତଥା ସ୍କୁଲ୍‌ର ପରିଚୟ ପାଇଁ ଉଦ୍ଦିଷ୍ଟ, ତେବେ ତାହା ଲାଗୁ କରିବାର ନିଷ୍ପତ୍ତି ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ଅଧିକାର ବୋଲି ଖଣ୍ଡପୀଠ କହିଛନ୍ତି।

କର୍ଣ୍ଣାଟକ ହିଜାବ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ବିଭାଜିତ ହୋଇଥିବାରୁ ଏହି ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତଙ୍କ ଚୂଡ଼ାନ୍ତ ରାୟ ଏପର୍ଯ୍ୟନ୍ତ ଆସିନାହିଁ। ତଥାପି କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରେରଣାଦାୟକ ନଜିର ଭାବେ ବିଚାର କରିଛନ୍ତି। ଅର୍ଥାତ୍‌, ଏହି ମାମଲାରେ କୋର୍ଟଙ୍କ ରାୟ ଅନୁସାରେ, ଯଦି ସ୍କୁଲ୍‌ର ଡ୍ରେସ୍‌ କୋଡ୍‌ ସମାନ ଓ ଭେଦଭାବମୁକ୍ତ ଭାବେ ଲାଗୁ ହୋଇଥାଏ, ତେବେ ସ୍କୁଲ୍‌ର ନିର୍ଦ୍ଧାରିତ ୟୁନିଫର୍ମ ଉପରେ ହିଜାବ ପିନ୍ଧିବାକୁ ଛାତ୍ରୀ ଅଧିକାର ଭାବେ ଦାବି କରିପାରିବେ ନାହିଁ।

Leave a Reply

Your email address will not be published. Required fields are marked *