ରାଜନଗର: ମୃତଦେହକୁ ଅସମ୍ମାନ । ତିନିଦିନ ହେବ ପଡି ରହିଛି ମୃତଦେହ। ହୋଇ ପାରୁନି ଶବ ସତ୍କାର । ବୃଦ୍ଧାଙ୍କ ମୃତଦେହକୁ ଜଗିରହିଛି ବୋହୂ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ତାଳଚୁଆ ଥାନା ଅନ୍ତର୍ଗତ ବୀରଭଞ୍ଜପୁର ଗାଁରେ ଅଭାବନୀୟ ଘଟଣା । ଜ୍ଞାତି କୁଟୁମ୍ବ ଓ ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ଶବ ସତ୍କାର ହୋଇ ପାରୁନି । ସବିତା ଶାସମାଲ ଗତ ମଙ୍ଗଳବାର ଦିନ ଜୀବନ ହାରିଥିଲେ । ଘଟଣା ପରେ ତାଳଚୁଆ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଥିଲା । ପରେ ପୋଲିସ ମୃତଦେହକୁ ତାଙ୍କ ବୋହୂଙ୍କୁ ହସ୍ତାନ୍ତର କରିଥିଲା । ହେଲେ ଏହାପରେ ଶବ ସତ୍କାରକୁ ନେଇ ଦେଖାଦେଇଛି ବିବାଦ । ଗ୍ରାମବାସୀ ଓ ସବିତାଙ୍କ ପରିବାର ମଧ୍ୟରେ ପୂର୍ବରୁ ଥିବା ବିବାଦ କାରଣରୁ ଗାଁ ଲୋକେ ଶବ ସତ୍କାର କରାଇ ଦେଉନଥିବା ଅଭିଯୋଗ ହୋଇଛି । ଏପଟେ ଶାଶୁଙ୍କ ମୃତଦେହକୁ ନେଇ ଅସହାୟ ହୋଇପଡ଼ିଛନ୍ତି ବୋହୂ । ମାତ୍ର ଗ୍ରାମବାସୀଙ୍କ ସହ ସବିତାଙ୍କ ପରିବାରର ବିବାଦ ଯୋଗୁଁ ଗ୍ରାମବାସୀ ଶବ ସତ୍କାର କରାଇଦେଉନଥିବା ଜଣା ପଡିଛି ।
ଏଭଳି ପରିସ୍ଥିତିରେ ମୃତଦେହକୁ ତିନି ଦିନ ଧରି ଘରେ ରଖିବାକୁ ପଡ଼ିବା ଘଟଣା ମାନବିକତା ଉପରେ ବଡ଼ ପ୍ରଶ୍ନ ଠିଆ କରିଛି । ଏବେ ପ୍ରଶ୍ନ ଉଠୁଛି, ପାରିବାରିକ କିମ୍ବା ଗ୍ରାମ୍ୟ ବିବାଦ ଯୋଗୁଁ କ’ଣ ଜଣେ ମୃତ ବ୍ୟକ୍ତିଙ୍କୁ ଶେଷ ସମ୍ମାନରୁ ବଞ୍ଚିତ କରାଯିବ ? ଘଟଣାରେ ପ୍ରଶାସନ ହସ୍ତକ୍ଷେପ କରି ତୁରନ୍ତ ମୃତଦେହର ସତ୍କାର ବ୍ୟବସ୍ଥା କରିବା ସହ ବିବାଦର ସମାଧାନ କରିବା ନେଇ ଦାବି ଉଠିଛି ।