ପୁରୀ : ପବିତ୍ର ରାଖି ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାକୁ ନେଇ ଦ୍ବନ୍ଦ୍ବ । ଆସନ୍ତା ୨୭ ତାରିଖ ସକାଳ ୯ଟା ୭ଟାରୁ ପୂର୍ଣ୍ଣିମା ତିଥି ଲାଗୁଥିବା ବେଳେ ଜନସାଧାରଣ ରକ୍ଷା ବନ୍ଧନ କାର୍ଯ୍ୟ କରି ପାରିବେ । ୨୭ ତାରିଖ ସକାଳ ୯ ଟା ୭ ରୁ ୨୮ ତାରିଖ ସକାଳ ୯ଟା ୪୫ ଯାଏ ପୂର୍ଣ୍ଣମୀ ତିଥି ରହିଛି ବୋଲି କହିଛନ୍ତି ଜ୍ୟୋତିର୍ବିଦ ନରେଶ ଚନ୍ଦ୍ର ଦାସ । ସେପଟେ ଶ୍ରୀମନ୍ଦିରରେ ୨୮ ତାରିଖରେ ମହାପ୍ରଭୁ ବଳଭଦ୍ରଙ୍କ ଜନ୍ମ ନୀତି ସହ ଶ୍ରୀଜୀଉମାନେ ରାଖି ପରିଧାନ କରିବା ନେଇ ପାଞ୍ଜିରେ ଉଲ୍ଲେଖ ରହିଛି । ଆସନ୍ତା ୨୭ତାରିଖରେ ସାଧାରଣ ଲୋକେ ରକ୍ଷା ବନ୍ଧନ ପାଳନ କରିବା ସହ ଶ୍ରୀମନ୍ଦିରରେ ୨୮ ତାରିଖରେ ରକ୍ଷା ବନ୍ଧନ ନୀତି ଅନୁଷ୍ଠିତ ହେବ ।
ପୁରାଣ ଓ କିମ୍ବଦନ୍ତୀ
ଏକଦା ଅତ୍ୟାଚାରୀ ଶିଶୁପାଳକୁ ବଧ କରିବା ସମୟରେ ସଖା ଶ୍ରୀକୃଷ୍ଣଙ୍କର ହାତ କଟିଯାଏ ତ ଦ୍ରୌପଦୀ ସାଙ୍ଗେ ସାଙ୍ଗେ ନିଜ ଶାଢୀ କାନିକୁ ଚିରି ଶ୍ରୀକୃଷ୍ଣଙ୍କ ହାତରେ ବାନ୍ଧି ଦିଅନ୍ତି । ଆଉ ରକ୍ତ ପ୍ରବାହ ବନ୍ଦ ହୋଇଯାଏ। ସେଦିନ ଦ୍ରୌପଦୀଙ୍କ ମଧ୍ୟରେ ଭଉଣୀର ସରାଗ ପାଇଥିଲେ କୃଷ୍ଣ। ଆଉ ଦିନେନା ଦିନେ ତାଙ୍କର ଏହି ଉପକାରର ପ୍ରାପ୍ୟ ଦେବେ ଏବଂ ଭଉଣୀର ମାନ ରକ୍ଷା କରିବେ ବୋଲି ସଂକଳ୍ପ କରିଥିଲେ । ସତକୁ ସତ କୁରୁସଭାରେ ପଞ୍ଚୁ ପାଣ୍ଡବ ପଶା ଖେଳରେ ହାରିବା ପରେ ସର୍ତ୍ତ ଅନୁସାରେ ଯେତେବେଳେ ଦୁଃଶାସନ ଦୌପ୍ରଦୀଙ୍କ ବସ୍ତ୍ର ଉତାରିବାକୁ ଚେଷ୍ଟା କରିଥିଲା ସେତେବେଳ ପ୍ରଭୁ ଶ୍ରୀକୃଷ୍ଣ ଶୂନ୍ୟରୁ ଦ୍ରୋପଦୀଙ୍କୁ କୋଟି କୋଟି ବସ୍ତ୍ର ଦେଇ ମାନ ରକ୍ଷା କରିଥିଲେ ।
ସେହିପରି ମା’ ଲକ୍ଷ୍ମୀଙ୍କର ଭାଇ ହୋଇଥିଲେ ବଳି ରାଜା । ଅସୁର ସମ୍ରାଟ ବଳି ଭଗବାନ ବିଷ୍ଣୁଙ୍କର ଜଣେ ପରମ ଭକ୍ତ ଥିଲେ । ତାଙ୍କ ଉପରେ ବିପଦ ଥିବା ଜାଣି ଭଗବାନ ବୈକୁଣ୍ଠ ଛାଡ଼ି ବଳିଙ୍କ ରାଜପ୍ରସାଦରେ ରହିବାକୁ ଲାଗିଲେ । ମାତ୍ର ଲକ୍ଷ୍ମୀ ସାଆନ୍ତାଣି ଏହା ଚାହୁଁନଥିଲେ । ତେଣୁ ସେ ମର୍ତ୍ତ୍ୟକୁ ବ୍ରାହ୍ମଣୀ ବେଶରେ ଆସି ଶ୍ରାବଣ ପୂର୍ଣ୍ଣିମା ଅବସରରେ ରାଜା ବଳିଙ୍କ ହାତରେ ରାଖି ବାନ୍ଧି ଭାଇ କରିଥିଲେ। ଏହାପରେ ଜଣେ ଭାଇ ହିସାବରେ ଲକ୍ଷ୍ମୀଙ୍କ କଥା ବୁଝିବା ବଳିଙ୍କର କର୍ତ୍ତ୍ୟବ୍ୟ ଥିଲା । ଲକ୍ଷ୍ମୀ କଣ ଚାହୁଁଛନ୍ତି ଜାଣିବା ପରେ ସେ ବିଷ୍ଣୁଙ୍କୁ ବୈକୁଣ୍ଠରେ ରହିବାକୁ ଅନୁରୋଧ କରିଥିଲେ।