ଭୁବନେଶ୍ୱର: ରାଜଧାନୀରେ ପୁଣି ବୁଲିଲା ବୁଲଡୋଜର। ନୀଳାଦ୍ରି ବିହାର ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ଯାହାକୁ ନେଇ ଉତ୍ତେଜନା ଦେଖାଦେଇଛି। ବିଏମସି ଏବଂ ବିଡିଏ ପକ୍ଷରୁ ମିଳିତ ଭାବେ ଏହି ବଡ଼ ଧରଣର ଉଚ୍ଛେଦ ଅଭିଯାନ ଆରମ୍ଭ କରାଯାଇଛି । ନୀଳାଦ୍ରି ବିହାରରେ ଥିବା ପ୍ରାୟ ୮୯୦ଟି ଘର ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩୩୦ଟି ଘରକୁ ଉଚ୍ଛେଦ କରିବା ପାଇଁ ପ୍ରଶାସନ ପ୍ରସ୍ତୁତି ଶେଷ କରିଛି । ଏହି କାର୍ଯ୍ୟାନୁଷ୍ଠାନକୁ ସ୍ଥାନୀୟ ଲୋକେ ପ୍ରବଳ ବିରୋଧ କରିବାରୁ ସେଠାରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି ।
ନୀଳାଦ୍ରି ବିହାର ଅଞ୍ଚଳରେ ଥିବା ଟ୍ରାଂଜିଟ ହାଉସରେ ଦୀର୍ଘ ଦିନ ଧରି ବହୁ ସଂଖ୍ୟକ ଲୋକ ବସବାସ କରିଆସୁଥିଲେ । ସେମାନଙ୍କ ଥଇଥାନ ପାଇଁ ସରକାରଙ୍କ ପକ୍ଷରୁ ନିକଟସ୍ଥ ବୁଧବିହାର ଅଞ୍ଚଳରେ ଥିବା ହାଉସିଂ ପ୍ରୋଜେକ୍ଟରେ ସ୍ୱତନ୍ତ୍ର ଭାବେ ଘର ଯୋଗାଇ ଦିଆଯାଇଛି । ତେବେ ନୂଆ ଘର ପାଇବା ପରେ ମଧ୍ୟ ଏହି ଲୋକମାନେ ଟ୍ରାଂଜିଟ ହାଉସ ଖାଲି କରିବାକୁ ପ୍ରସ୍ତୁତ ନଥିଲେ । ବାରମ୍ବାର ନୋଟିସ ଓ ଅନୁରୋଧ ସତ୍ତ୍ୱେ ଜାଗା ଖାଲି ନହେବାରୁ ଶେଷରେ ବିଏମସି ଓ ବିଡିଏ କଡ଼ା ଆଭିମୁଖ୍ୟ ଗ୍ରହଣ କରି ବାଧ୍ୟ ହୋଇ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି ।