ମାଲକାନଗିରି: ଦିନେ ମାଆଙ୍କ ସହ ଜଙ୍ଗଲରୁ ମହୁଲ ଫୁଲ ଓ ଜାଳେଣି କାଠ ସଂଗ୍ରହ କରୁଥିବା ଝିଅ ଆଜି ପହଞ୍ଚିଛନ୍ତି ବଲିଉଡର ମେଗାଷ୍ଟାର୍ ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ଟିଭି ଶୋ”କୌନ ବନେଗା କରୋଡ଼ପତି’ (କେବିସି)ମଞ୍ଚରେ । ସେ ହେଉଛନ୍ତି ମାଲକାନଗିରି ଜିଲ୍ଲାର ପରିଚିତ ଚେହେରା ତଥା’ଜଙ୍ଗଲ ରାଣୀ’ ଭାବେ ଖ୍ୟାତ ଆଦିବାସୀ ସାମ୍ବାଦିକା ଜୟନ୍ତୀ ବୁରୁଦା। ଚଳିତ ଥର କେବିସିର ୧୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଓଡ଼ିଶାରୁ ଏକମାତ୍ର ପ୍ରତିନିଧି ଭାବେ ମନୋନୀତ ହୋଇ ଜୟନ୍ତୀ ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି।
ମାଲକାନଗିରି ଜିଲ୍ଲା ସେର୍ପାଲ୍ଲୀ ଗାଁର ଏକ କୋୟା ଆଦିବାସୀ ପରିବାରରେ ଜନ୍ମିତ ଜୟନ୍ତୀଙ୍କ ପିଲାଦିନ ଜଙ୍ଗଲ ଓ ପ୍ରକୃତି ସହ ବିତିଥିଲା। ପରିବାରର ୧୧ ଜଣ ଭାଇଭଉଣୀଙ୍କ ମଧ୍ୟରୁ ସେ ନବମ। ଆର୍ଥିକ ଅନାଟନ ସତ୍ତ୍ୱେ ନିଜ ଶିକ୍ଷକଙ୍କ ପ୍ରେରଣାରେ ସେ ନିଜ ଶ୍ରେଣୀରୁ ଦଶମ ପାସ୍ କରିଥିବା ପ୍ରଥମ ଆଦିବାସୀ ଝିଅ ଭାବେ ନିଜ ଦୃଢ଼ ମନୋବଳର ପରିଚୟ ଦେଇଥିଲେ। ପରବର୍ତ୍ତୀ ସମୟରେ ଉଚ୍ଚଶିକ୍ଷା ଲାଭ କରିବା ସହିତ ସାମ୍ବାଦିକତାକୁ ନିଜର ପେସା ଭାବେ ବାଛି ନେଇଥିଲେ ଜୟନ୍ତୀ।