Spread the love

ହରୟାଣା : ହରିୟାଣା ଫରିଦାବାଦରେ ସ୍କୁଲ ଶିକ୍ଷୟିତ୍ରୀଙ୍କୁ ମୁଖାପିନ୍ଧା ଯୁବକ ୩୪ ଥର ଛୁରାମାଡ଼ କରି ହତ୍ୟା କରିଛି । ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀଙ୍କୁ ଛୁରୀ ଭୁସି ହତ୍ୟା ଘଟଣାରେ ପୋଲିସ ୨୧ ବର୍ଷୀୟ ଅଭିଯୁକ୍ତ ଅମିତକୁ ଗିରଫ କରିଛି । ଶିକ୍ଷୟିତ୍ରୀ ଜଣକ ଫିରୋଜପୁର ସିକରୋନା ସ୍ଥିତ ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ ।

ଖବର ମୁତାବକ, ହରିୟାଣାର ଫରିଦାବାଦ ଅନ୍ତର୍ଗତ ସିକ୍ରୋନା ଗାଁରେ ଥିବା ସରସ୍ବତୀ ସିନିୟର ସେକେଣ୍ଡାରୀ ସ୍କୁଲ ପରିସରରେ ଏହି ନୃଶଂସ କାଣ୍ଡ ଘଟିଛି । ସକାଳ ପ୍ରାୟ ୯:୪୦ ସମୟରେ ମୁଖାପିନ୍ଧା ଅଭିଯୁକ୍ତ ସ୍କୁଲ ଭିତରକୁ ପଶି ଶିକ୍ଷୟିତ୍ରୀଙ୍କ ବିଷୟରେ ପଚରାଉଚରା କରିଥିଲା । ଏହାପରେ ଶିକ୍ଷୟିତ୍ରୀ ଜଣକ ସାମ୍ନାକୁ ଆସିବା ମାତ୍ରେ ସେ ତାଙ୍କ ବେକକୁ ଧରି ଘୋଷାରି ନେଇଥିଲା ।

ଅଭିଯୁକ୍ତ ଜଣକ ୩୨ ସେକେଣ୍ଡ ମଧ୍ୟରେ ୩୪ ଥର ଛୁରି ଭୁସି ଦେଇଥିଲା । ସ୍କୁଲ ଅଧ୍ୟକ୍ଷ ତେଜପାଲ ଶର୍ମା ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବା ସମୟରେ ଅଭିଯୁକ୍ତ ତାଙ୍କୁ ମଧ୍ୟ ଦୁଇଥର ଛୁରାମାଡ଼ କରି ଫେରାର ହୋଇଯାଇଥିଲା । ତୁରନ୍ତ ଶିକ୍ଷୟିତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅଭିଯୁକ୍ତ ଅମିତ ଗତ ଦୁଇ ବର୍ଷ ହେବ ସନ୍ଧ୍ୟାଙ୍କୁ ଲଗାତାର ପିଛା କରି ହଇରାଣ କରୁଥିଲା । ହତ୍ୟାକାଣ୍ଡର କିଛି ଦିନ ପୂର୍ବରୁ ସନ୍ଧ୍ୟା ଅମିତ ବିରୋଧରେ ନିର୍ଯାତନା ଅଭିଯୋଗ କରିଥିଲେ, ଯେଉଁଥିପାଇଁ ସମସ୍ତଙ୍କ ସାମ୍ନାରେ ଅମିତକୁ କ୍ଷମା ମାଗିବାକୁ ପଡ଼ିଥିଲା । ପୋଲିସ ସୂଚନା ଅନୁସାରେ, ସେହି ସର୍ବସାଧାରଣ ଅପମାନ ଏବଂ ପୋଲିସ ଅଭିଯୋଗର ପ୍ରତିଶୋଧ ନେବା ପାଇଁ ଅମିତ ଏହି ବର୍ବର ହତ୍ୟାକାଣ୍ଡ ଘଟାଇଛି ।

Leave a Reply

Your email address will not be published. Required fields are marked *