ଗୁଜରାଟ: ଗୁଜରାଟରେ ଚାନ୍ଦିପୁରା ଭାଇରସ୍ ଆତଙ୍କ । ଏହି ଆତଙ୍କ ଯୋଗୁଁ ୨୨ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି । ଗୁଜରାଟରେ ମାରାତ୍ମକ ଚାନ୍ଦିପୁରା ଭାଇରସର ଗମ୍ଭୀର ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରିଛି । ସାଧାରଣ ଜ୍ବର ଭଳି ଦେଖାଯାଉଥିବା ଏହି ରୋଗ କିଛିଦିନ ଭିତରେ ମସ୍ତିଷ୍କକୁ ଆକ୍ରାନ୍ତ କରି ଜୀବନପ୍ରତି ବିପଦ ସୃଷ୍ଟି କରୁଛି।
ଗୁଜରାଟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଫୁଲ୍ଲ ପାନସେରିୟାଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ମୋଟ ୧୮୪ ଜଣ ରୋଗୀଙ୍କ ରକ୍ତ ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୩୫ ଜଣଙ୍କଠାରେ ଏହି ଭାଇରସ୍ ପଜିଟିଭ୍ ଚିହ୍ନଟ ହୋଇଛି । ବର୍ତ୍ତମାନ ୭ଜଣ ଶିଶୁ ଆଇସିୟୁରେ ରହିଛନ୍ତି । ସ୍ୱତନ୍ତ୍ର ଡାକ୍ତରୀ ଦଳ ଆକ୍ରାନ୍ତ ଶିଶୁମାନଙ୍କୁ ଭେଣ୍ଟିଲେଟର ଏବଂ ଅକ୍ସିଜେନ ସହାୟତାରେ ଚିକିତ୍ସା ଯେଗାଇ ଦେଉଛନ୍ତି । କିନ୍ତୁ ଏଥିରେ ଆକ୍ରାନ୍ତ ହୋଇଥିବା ମୋଟ ୨୨ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି ।
ଅନ୍ୟପଟେ ଏହି ଭାଇରସ୍ ମୁଖ୍ୟତଃ ମାଛି କାମୁଡ଼ିବା ଦ୍ୱାରା ବ୍ୟାପିଥାଏ । ଏହି ଭାଇରସ୍ ସଂକ୍ରମଣର ଲକ୍ଷଣ ହେଲା ଶୀଘ୍ର ମସ୍ତିଷ୍କ ଏବଂ ଏକାଧିକ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇପଡ଼ିବ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାଟି ଘରର କାନ୍ଥରେ ଥିବା ଫାଟକୁ ମରାମତି କରିବା ଏବଂ କୀଟନାଶକ ସ୍ପ୍ରେ କରିବାକୁ ପରାମର୍ଶ ଦିଆଯାଇଛି । ପିଲାମାନଙ୍କ ଠାରେ ଜ୍ବର, ବାନ୍ତି ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ ଦେଖାଗଲେ ବିଳମ୍ବ ନକରି ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।