Spread the love

ନୂଆଦିଲ୍ଲୀ: ନିଟ୍ ପିଜି-୨୦୨୬ ପରୀକ୍ଷାକୁ ସ୍ବଚ୍ଛ, ନିରପେକ୍ଷ ଓ ପରୀକ୍ଷାର୍ଥୀଙ୍କ ପାଇଁ ସୁବିଧାଜନକ କରିବା ନିମନ୍ତେ କେନ୍ଦ୍ର ସରକାର ବ୍ୟାପକ ପରିବର୍ତ୍ତନ କରିଛନ୍ତି। ଅଗଷ୍ଟ ୩୦ ତାରିଖ ରବିବାର ସକାଳ ୯ଟାରୁ ଅପରାହ୍ଣ ୧୨ଟା ୩୦ ପର୍ଯ୍ୟନ୍ତ ସାରା ଦେଶରେ ଗୋଟିଏ ପର୍ଯ୍ୟାୟରେ କମ୍ପ୍ୟୁଟର୍‌ଭିତ୍ତିକ ପରୀକ୍ଷା ହେବ। ପରୀକ୍ଷାର୍ଥୀଙ୍କୁ ସକାଳ ୭ଟାରୁ କେନ୍ଦ୍ରରେ ପ୍ରବେଶ ଅନୁମତି ମିଳିବ ଏବଂ ସାଢ଼େ ୮ଟାରେ ପ୍ରବେଶଦ୍ବାର ବନ୍ଦ କରିଦିଆଯିବ।

ପରୀକ୍ଷା କେନ୍ଦ୍ର ବଣ୍ଟନରେ ପୂର୍ବରୁ ପ୍ରଚଳିତ ‘ଆଗେ ଆସିଲେ ଆଗେ ପାଇବେ’ ବ୍ୟବସ୍ଥାକୁ ହଟାଇ ଦିଆଯାଇଛି। ପରୀକ୍ଷାର୍ଥୀ ତିନିଟି ରାଜ୍ୟକୁ ପସନ୍ଦ କରିପାରିବେ। ସେମାନଙ୍କ ଚିଠିପତ୍ର ଠିକଣା ଥିବା ରାଜ୍ୟକୁ ପ୍ରଥମ ପସନ୍ଦ କରିବା ବାଧ୍ୟତାମୂଳକ। ଫଳରେ ବାସସ୍ଥାନ ନିକଟରେ କେନ୍ଦ୍ର ମିଳିବାର ସମ୍ଭାବନା ବଢ଼ିବ। ପରୀକ୍ଷାର ପ୍ରାୟ ତିନି ସପ୍ତାହ ପୂର୍ବରୁ ସହର ସମ୍ପର୍କରେ ସୂଚନା ମିଳିବ। ପୂର୍ବର ୨୦୦ ବଦଳରେ ଏଥର ୧୮୦ଟି ପ୍ରଶ୍ନ ରହିବ। କିନ୍ତୁ ପରୀକ୍ଷା ଅବଧି ୨୧୦ ମିନିଟ୍‌ ରହିବାରୁ ପ୍ରତ୍ୟେକ ପ୍ରଶ୍ନ ପାଇଁ ଅଧିକ ସମୟ ମିଳିବ। ଆବେଦନ ସମୟରେ ଓ ପରୀକ୍ଷା ଦିନ ଆଧାରଭିତ୍ତିକ ପରିଚୟ ଯାଞ୍ଚ କରାଯିବ। ଆଙ୍ଗୁଠି ଛାପ ମେଳ ନ ଖାଇଲେ ଆଖିର ଡୋଳା ଯାଞ୍ଚ କରାଯିବ।

ପରୀକ୍ଷା କେନ୍ଦ୍ରକୁ ଆଗୁଆ ସିଲ୍‌ କରି ଯାଞ୍ଚ, ସିସିଟିଭି ନିରୀକ୍ଷଣ, ଶରୀର ତଲାସି, ସିଗ୍‌ନାଲ୍‌ ଜାମର୍‌ ଏବଂ କେନ୍ଦ୍ରୀୟ ଓ ଆଞ୍ଚଳିକ ନିୟନ୍ତ୍ରଣ କକ୍ଷରୁ ସିଧାସଳଖ ନଜର ରଖିବା ବ୍ୟବସ୍ଥା ହୋଇଛି। ପରୀକ୍ଷା ଆରମ୍ଭର ଅଳ୍ପ ସମୟ ପୂର୍ବରୁ ସୁରକ୍ଷିତ ଓ ସାଙ୍କେତିକ ପଦ୍ଧତିରେ ଚୂଡ଼ାନ୍ତ ପ୍ରଶ୍ନପତ୍ର ଚୟନ ହେବ। ତେଣୁ ପ୍ରଶ୍ନପତ୍ର ଆଗୁଆ ମିଳିବା ସମ୍ପର୍କିତ ମିଥ୍ୟା ଦାବି ଓ ଗୁଜବରେ ବିଶ୍ବାସ ନ କରିବାକୁ ନଡ୍ଡା ପରୀକ୍ଷାର୍ଥୀଙ୍କୁ କହିଛନ୍ତି।

Leave a Reply

Your email address will not be published. Required fields are marked *