ଲଣ୍ଡନ : ଇଂଲଣ୍ଡର ଅଧାରୁ ଅଧିକ ଅଞ୍ଚଳକୁ ମରୁଡ଼ି ଘୋଷଣା କରାଯାଇଛି। ଚଳିତ ଜୁଲାଇ ମାସରେ ଦେଶରେ ବର୍ଷାର ପରିମାଣ ବହୁତ କମ୍ ବା ଶୂନ୍ୟ ରହିଥିବାରୁ ସରକାର ଏହି ଘୋଷଣା କରିଛନ୍ତି। ବ୍ରିଟେନ ସରକାର ଓ ପରିବେଶ ଏଜେନ୍ସିର କହିବା ଅନୁଯାୟୀ ଦେଶର ୫୧.୪% ଅଞ୍ଚଳରେ ମରୁଡି ଘୋଷଣା କରାଯାଇଛି। ମରୁଡି ଘୋଷିତ ଅଞ୍ଚଳ ମଧ୍ୟରେ ଲଣ୍ଡନ, ଇଷ୍ଟ ଆଙ୍ଗ୍ଲିଆ, ଦକ୍ଷିଣ-ପଶ୍ଚିମ ଇଂଲଣ୍ଡ, ଥେମ୍ସ ଭ୍ୟାଲି, ହାମ୍ପସାୟାର, ହେର୍ଟଫୋଡ୍ସାୟାର, ୱେସେକ୍ସ ଓ ୱେଷ୍ଟ ମିଡଲ୍ୟାଣ୍ଡସ ସମେତ ୭ଟି ପ୍ରମୁଖ ଅଞ୍ଚଳ ରହିଛି। ଜୁଲାଇ ମାସରେ ହାରାହାରି ବର୍ଷାର ମାତ୍ର ୭ ପ୍ରତିଶତ ବର୍ଷା ହୋଇଛି। ଦକ୍ଷିଣ ଇଂଲଣ୍ଡର କିଛି ଭାଗରେ ହାରାହାରି ବର୍ଷାର ମାତ୍ର ୧ ପ୍ରତିଶତ ବର୍ଷା ହୋଇଛି। ଉଚ୍ଚ ତାପମାତ୍ରା ଓ ବର୍ଷାର ଅଭାବ ଯୋଗୁଁ ଏହାକୁ ଏକ ଆକସ୍ମିକ ମରୁଡି (ଫ୍ଲାସ୍ ଡ୍ରଟ୍) ବୋଲି କୁହାଯାଉଛି, ଯାହା ଅତି ଶୀଘ୍ର ଗମ୍ଭୀର ରୂପ ନେଇଛି। ନଦୀ ଓ ଭୂତଳ ଜଳସ୍ତର ହ୍ରାସ ପାଇବା ହେତୁ ୨ କୋଟି ୩୦ ଲକ୍ଷରୁ ଅଧିକ ଲୋକଙ୍କ ପାଇଁ ପାଇପ୍ ପାଣି ବ୍ୟବହାର ଉପରେ କଟକଣା ଲଗାଯାଇଛି। କମ୍ ବର୍ଷା ଯୋଗୁଁ ଚାଷୀମାନେ ସମୟ ପୂର୍ବରୁ ଫସଲ ଅମଳ କରିବାକୁ ବାଧ୍ୟ ହେଉଛନ୍ତି ଓ ଜଙ୍ଗଲରେ ନିଆଁ ଲାଗିବାର ଆଶଙ୍କା ବୃଦ୍ଧି ପାଇଛି। ୨୦୨୨ ଓ ୨୦୨୫ରେ ମଧ୍ୟ ଇଂଲଣ୍ଡର କେତେକ ଅଞ୍ଚଳରେ ମରୁଡି ଘୋଷଣା କରାଯାଇଥିଲା।