ଛତିଶଗଡ଼ : ଛତିଶଗଡ଼ ଗତ କିଛିଦିନ ହେଲାଣି ମୂଷଳଧାରା ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ଲଗାତାର ବର୍ଷା ଯୋଗୁଁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି । ନଦୀ, ନାଳର ଜଳସ୍ତର ବଢିବାରେ ଲାଗିଛି । ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ବନ୍ୟା ଭଳି ସ୍ଥିତି ଉତ୍ପନ୍ନ ହୋଇଛି । ବର୍ଷାଜନିତ ବିଭିନ୍ନ ଘଟଣାରେ ଏଯାଏଁ ଅତିକମରେ ୫ ଜଣ ଲୋକଙ୍କ ଜୀବନ ଚାଲିଯାଇଛି । ଅଧିକାରୀଙ୍କ କହିବା ଅନୁସାରେ, ରାୟପୁର, ବସ୍ତର ଏବଂ ଦୁର୍ଗ ଭଳି ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି ।
ଖବର ମୁତାବକ, ପ୍ରବଳ ବର୍ଷା ଯୋଗୁଁ ସହରର ଅନେକ ମୁଖ୍ୟ ରାସ୍ତା ବନ୍ଦ ହୋଇଛି । ଓଡିଶାରେ ପ୍ରବଳ ବର୍ଷା ଯୋଗୁଁ ଜାତୀୟ ରାଜପଥ ୧୩୦ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇ ରହିଛି । ଏହାଛଡା ଗାରିୟାବନ୍ଧ-ମହାସମୁଦ୍ର, ଗାରିୟାବନ୍ଧ-ନଗରୀ-ଧମତରୀ ଏବଂ କୋଚବଏ-ମାଲଗାଓଁ-କସାନାଲା ମାର୍ଗ ଯାତାୟତ ବାଧାପ୍ରାପ୍ତ ହୋଇଛି । ବୀଜାପୁର ଜିଲ୍ଲାର ସହିତ ସଂପର୍କ ତୁଟିଛି । ଅନେକ ଗାଁ ରାସ୍ତା ଜିଲ୍ଲା ମୁଖ୍ୟାଳୟ ଠାରୁ ସଂପର୍କ ତୁଟିଛି ।
ବିଭିନ୍ନ ଜିଲ୍ଲାରେ ୫ ଜଣଙ୍କ ଜୀବନ ଚାଲିଯାଇଛି । ସ୍ଥିତିର ଗମ୍ଭୀରତାକୁ ଦେଖି ପ୍ରଶାସନ ସଂପୂର୍ଣ୍ଣ ରୂପେ ସତର୍କ ରହିଛି । ଏକ ସ୍କୁଲରେ ୫୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଆବଶ୍ୟକୀୟ କାମ ନଥିଲେ ଲୋକଙ୍କୁ ଘରୁ ନ ବାହାରିବାକୁ ପ୍ରଶାସନ ଅପିଲ୍ କରିଛି ।
ପାଣିପାଗ ବିଭାଗ ଆଗାମୀ ୨୪ ଘଣ୍ଟା ଯାଏଁ ଚେତାବନୀ ଜାରି କରିଛି । ସୁକମା, ବିଜାପୁର, ଦନ୍ତେୱାଡା, ବସ୍ତର, ନାରାୟଣପୁର ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ୬୦ କିମି ପ୍ରତି ଘଣ୍ଟାରେ ପବନ ବୋହିବାର ସମ୍ଭାବନା ରହିଛି । ରାଜ୍ୟର ଅନେକ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ଅନୁମାନ କରାଯାଉଛି ।