Spread the love

ଭୁବନେଶ୍ବର : ମିଳିଲା ନିଖୋଜ ଛାତ୍ରୀଙ୍କ ମୃତଦେହ । ସକାଳେ ସ୍କୁଲ ଯାଇ ନିଖୋଜ ଥିବା ୭ବର୍ଷର ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ନିକଟ ପୋଲିସ ରିଜର୍ଭ ପଡ଼ିଆ ପଛ ପଟ ପାଣି କୁଣ୍ଡରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ଆଚାର୍ଯ୍ୟବିହାରର ଏକ ସରକାରୀ ସ୍କୁଲରେ ପାଠ ପଢୁଥିଲେ ଛାତ୍ରୀ । ସ୍କୁଲ ପରିସରରୁ ଛାତ୍ରୀ ଜଣକ ହଠାତ ନିଖୋଜ ହୋଇଯିବା ଖବର ପାଇ ପରିବାରବର୍ଗ ସ୍କୁଲ ଓ ଆଖପାଖ ଅଞ୍ଚଳରେ ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ । କିନ୍ତୁ କୌଣସି ସନ୍ଧାନ ମିଳିନଥିଲା । ପରେ ପୋଲିସ ରିଜର୍ଭ ପଡ଼ିଆର ଏକ କୁଣ୍ଡରେ ଝିଅର ଶରୀର ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପରିବାରକୁ ଖବର ଦେଇଥିଲେ ।

ପରିବାର ଲୋକେ ତାଙ୍କୁ ସେଠାରୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ପରିବାର ଲୋକେ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଅଭିଯୋଗ ଆଣି ଖାରବେଳ ନଗର ଥାନାରେ ଲିଖିତ ଏତଲା ଦେଇଛନ୍ତି । ସ୍କୁଲ ପରିସରରୁ କିପରି ଜଣେ ୭ ବର୍ଷର ଛାତ୍ରୀ ନିଖୋଜ ହେଲେ ? ସୁରକ୍ଷା ବ୍ୟବସ୍ଥାରେ କେଉଁଠି ତ୍ରୁଟି ରହିଲା ? ଏଭଳି ଅନେକ ପ୍ରଶ୍ନ ଏବେ ଉଠାଇଛନ୍ତି ପରିବାରଲୋକେ। ନାବାଳିକାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଥିବା ବେଳେ, ସମ୍ପୂର୍ଣ୍ଣ ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *