ଭୁବନେଶ୍ବର: ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ବିଶେଷକରି, ଉତ୍ତର ଓଡ଼ିଶାର ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର ଏବଂ କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇଛି। ସୁନ୍ଦରଗଡ଼, ସମ୍ବଲପୁର ଏବଂ ସୁବର୍ଣ୍ଣପୁର ଜିଲାରେ ମଧ୍ୟ ପ୍ରବଳ ବର୍ଷା ହୋଇଛି। ଏଥିଯୋଗୁଁ ଓଡ଼ିଶାର ପ୍ରମୁଖ ନଦୀଗୁଡ଼ିକରେ ଜଳସ୍ତର ବଢ଼ୁଥିବା ବେଳେ ସାଳନ୍ଦୀ, ଜଳକା, ବୈତରଣୀ ଓ ବୁଢ଼ାବଳଙ୍ଗରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବୈତରଣୀରେ ବଡ଼ଧରଣର ବନ୍ୟା ଆସିବା ନେଇ ଆଶଙ୍କା କରାଯାଉଛି। ଏଥିଯୋଗୁଁ ଭଦ୍ରକ, ଯାଜପୁର ଭଳି ଜିଲା ପ୍ରଭାବିତ ହେବାର ଆଶଙ୍କା ରହିଛି। ଆସନ୍ତାକାଲି ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଭଦ୍ରକ, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ମୟୂରଭଞ୍ଜ ଓ ବରଗଡ଼ ଭଳି ୮ଟି ଜିଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି।ଅନ୍ୟପକ୍ଷରେ ବାଲେଶ୍ବର, ଭଦ୍ରକ ଓ ଯାଜପୁର ପାଇଁ ଆସନ୍ତା ୧୨ଘଣ୍ଟା ଗୁରୁତ୍ବପୂର୍ଣ୍ଣ ରହିଛି। ୩ ଜିଲାରେ ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ଭଦ୍ରକ ଦାୟିତ୍ବରେ କେନ୍ଦ୍ରାଞ୍ଚଳ ରାଜସ୍ବ ଉନ୍ନୟନ ଆୟୁକ୍ତ ସୁଧାଂଶୁ ସାମଲ ଥିଲାବେଳେ ବାଲେଶ୍ବର ପାଇଁ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ଯାଜପୁରରେ ପି. ଅନ୍ବେଷା ରେଡ୍ଡୀ ରହିଛନ୍ତି। ଏହି ୩ଟି ଜିଲାରେ ୪ଟି ଏନ୍ଡିଆର୍ଏଫ୍ ଦଳ ମୁତୟନ ହୋଇଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏ ସଂକ୍ରାନ୍ତରେ ଏକ ସମୀକ୍ଷା ବୈଠକ କରି ସମସ୍ତ ପରିସ୍ଥିତି ଉପରେ ବିଭାଗ ନଜର ରଖିଥିବା ଗଣମାଧ୍ୟମକୁ କହିଛନ୍ତି।
ମହାନଦୀର ନରାଜଠାରେ ଜଳସ୍ତର ବିପଦ ସଙ୍କେତ ନିକଟତର ହେଉଥିଲେ ମଧ୍ୟ ବନ୍ୟା ସ୍ଥିତି ନାହିଁ। ହେଲେ ଆଭ୍ୟନ୍ତରୀଣ ଜିଲାଗୁଡ଼ିକରେ ପ୍ରବଳ ବର୍ଷା ହୋଇଥିବାରୁ ଏହାର ଜଳ ମହାନଦୀରେ ପ୍ରବାହ କରୁଛି। ବୁଧବାର ପୁରୀ, ନିମାପଡ଼ା ଏବଂ ଜଗତସିଂହପୁର ଜିଲାର କିଛି ତଳିଆ ଅଞ୍ଚଳରେ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ କହିଛନ୍ତି।ସାଳନ୍ଦୀ, ଜଳକା ଏବଂ ବୈତରଣୀ, ବୁଢ଼ାବଳଙ୍ଗରେ ବନ୍ୟା ଆସିଥିବାରୁ ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ ଏବଂ କେନ୍ଦୁଝର ଜିଲାର ବିଭିନ୍ନ ଅଞ୍ଚଳ ପ୍ରଭାବିତ ହୋଇଛି। ଜଳ ସମ୍ପଦ ବିଭାଗର ତଥ୍ୟାନୁଯାୟୀ, ମଥାନୀଠାରେ ଜଳକାର ବିପଦ ସଙ୍କେତ ୬.୫ ମିଟର ଥିବା ବେଳେ ମଙ୍ଗଳବାର ସନ୍ଧ୍ୟା ୫ଟା ସୁଦ୍ଧା ୬.୬ ମିଟରରେ ଜଳ ପ୍ରବାହିତ ହେଉଛି। ଅର୍ଥାତ ଜଳକା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏଠାରେ ଜଳସ୍ତର ୭ ମିଟର ଛୁଇଁବାର ଆଶଙ୍କା ରହିଛି। ଏଥିଯୋଗୁଁ ବାଲେଶ୍ବର ଜିଲାର ବସ୍ତା ଏବଂ ସଦର ବ୍ଲକର ବିଭିନ୍ନ ଗାଁରେ ବନ୍ୟା ପାଣି ପଶିଛି। ସେହିପରି, ବୈତରଣୀ ଉପରମୁଣ୍ଡରେ ଅତି ପ୍ରବଳ ବର୍ଷା ହୋଇଛି। ଆଖୁଆପଦାରେ ବିପଦ ସଙ୍କେତ ୧୮.୩୩ ମିଟର ଥିବା ବେଳେ ବୈତରଣୀ ୧୮.୭ ମିଟରରେ ପ୍ରବାହିତ ହେଉଛି। ଏଠାରେ ଜଳସ୍ତର ୧୯ମିଟର ପର୍ଯ୍ୟନ୍ତ ପହଞ୍ଚିବାର ଆଶଙ୍କା ରହିଛି। ସେହିପରି, ଆନନ୍ଦପୁରରେ ବିପଦ ସଙ୍କେତ ୩୮.୬୩ ମିଟର ଥିବା ବେଳେ ୩୯.୩୮ ମିଟରରେ ଜଳ ପ୍ରବାହିତ ହେଉଛି। ଗୋବିନ୍ଦପୁରରେ ବୁଢ଼ାବଳଙ୍ଗର ବିପଦ ସଙ୍କେତ ୮.୧୩ ମିଟର ଥିବା ବେଳେ ୮.୦୪ମିଟରରେ ଜଳ ପ୍ରବାହିତ ହେଉଛି। ରାଜଘାଟଠାରେ ସୁବର୍ଣ୍ଣରେଖା ବିପଦ ସଙ୍କେତ ୯.୩୬ ମିଟର ରହିଥିବା ବେଳେ ଅପରାହ୍ଣ ୩ଟାରେ ୬.୭୯ମିଟରରେ ଜଳ ପ୍ରବାହିତ ହେଉଥିଲା। ଏଠାରେ ଜଳସ୍ତର ଆହୁରି ବଢ଼ିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ, ନିରାଜଠାରେ ମହାନଦୀ ବିପଦ ସଙ୍କେତ ୨୬.୪୧ ମିଟର ଥିବା ବେଳେ ୨୬.୦୪ମିଟରରେ ପ୍ରବାହିତ ହେଉଛି। ଏଠାରେ ଜଳସ୍ତର ବିପଦ ସଙ୍କେତ ନିକଟତର ହୋଇଛି। ଖଇରମାଳରେ ୩.୭୫ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ବରମୂଳରେ ୪.୪ଲକ୍ଷ କ୍ୟୁସେକ ଏବଂ ମୁଣ୍ଡଳୀରେ ୬.୩୭ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି।
ରାଜ୍ୟର ବିଭିନ୍ନ ସ୍ଥାନରେ ନଦୀ ଜଳସ୍ତର ବଢ଼ିବା ଦ୍ବାରା ଅନେକ ସ୍ଥାନରେ ପୋଲ ଉପରେ ପାଣି ପ୍ରବାହିତ ହୋଇଛି। ଯାତାୟାତ ପ୍ରଭାବିତ ହେବା ସହ କିଛି ଅଞ୍ଚଳ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଜଗତସିଂହପୁର ଜିଲା ତିର୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ପଞ୍ଚାୟତ ମଣିଜଙ୍ଗା ମୁଖ୍ୟ ରାସ୍ତାରେ ୪ ଫୁଟ୍ର ବନ୍ୟାଜଳ ପ୍ରଭାବିତ ହେଉଥିବା ବେଳେ କେନ୍ଦୁଝର ଜିଲା ଆନନ୍ଦପୁର ପୌରାଞ୍ଚଳ ୧୩ ନମ୍ବର ୱାର୍ଡ ଖପରାଖାଇ ସାଉଁନ୍ତି ସାହିରେ ବୈତରଣୀ ବନ୍ୟାଜଳ ପ୍ରବେଶ କରିଛି। ବିପଦ ସଙ୍କେତ ଉପରେ ସାଳନ୍ଦୀ ଓ ବୈତରଣୀରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଭଦ୍ରକରେ ବନ୍ୟା ସୃଷ୍ଟି ହୋଇଛି। ଜିଲାରେ ୭ଟି ବ୍ଲକର ୩୦ ହଜାର ହେକ୍ଟର୍ ଜମି ଜଳମଗ୍ନ ହୋଇଛି। ଚାଷଜମି ଉଜୁଡ଼ି ଯାଇଛି ଏବଂ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। କେନ୍ଦୁଝର ଜିଲା ତେଲକୋଇ ଡାକବଙ୍ଗଳା ନିକଟସ୍ଥ ସମାକୋଇ ନଦୀର ପୋଲ ଉପରେ ପ୍ରଖର ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ତେଲକୋଇ ଏକପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ସମାକୋଇ ପୋଲ ଉପରେ ୩ଫୁଟ୍ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଉଭୟ ପାର୍ଶ୍ବରେ ଗାଡ଼ି ମୋଟର ଅଟକି ରହିଛି। ତେଲକୋଇ-ଭୁବନେଶ୍ବର-କଟକ-ଢେଙ୍କାନାଳ-ତାଳଚେର-କାଳିଆହତା ଅଞ୍ଚଳ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କଲଣ୍ଡାଠାରେ ଘାଗରା ନାଳ ପୋଲ ଉପରେ ୫ଫୁଟ୍ର ବନ୍ୟାଜଳ ପ୍ରବାହିତ ହେଉଛି।