Spread the love

ନୂଆଦିଲ୍ଲୀ: କମର୍ସିଆଲ ଜାହାଜ ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଥିବା ବିଦେଶ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । କମର୍ସିଆଲ ଜାହାଜ MV OMORFI ଜୁଲାଇ ୧୮ ତାରିଖ ଦିନ ବ୍ଲାକ୍ ସି’କୁ ପରିବହନ କରୁଥିଲା । ସେହି ସମୟରେ ଋଷିଆ ଆଞ୍ଚଳିକ ଜଳସୀମା ମଧ୍ୟରେ ଏହି ଆକ୍ରମଣ ହୋଇଥିଲା ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ।

ସୂଚନାନୁଯାୟୀ, ଆକ୍ରମଣ ସମୟରେ ଜାହାଜରେ ୧୦ ଜଣ କ୍ରୁ ସଦସ୍ୟଙ୍କ ସମେତ ତିନି ଜଣ ଭାରତୀୟ ନାଗରିକ ଥିଲେ । କିନ୍ତୁ ଏହି ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ସୁରକ୍ଷିତ ଥିବା ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି । ଏଥିସହ ପୀଡିତଙ୍କ ପରିବାର ପ୍ରତି ଗଭୀର ସମବେଦନା ମଧ୍ୟ ମନ୍ତ୍ରଣାଳୟ ପ୍ରକାଶ କରିଛନ୍ତି । ଭାରତ ବାଣିଜ୍ୟିକ ଜାହାଜ ଚଳାଚଳକୁ ଟାର୍ଗେଟ କରି ଏବଂ ନିରୀହ ନାଗରିକ କ୍ରୁ ସଦସ୍ୟଙ୍କ ଜୀବନକୁ ବିପଦରେ ପକାଇବା ଭଳି ଆକ୍ରମଣକୁ ଦୃଢ଼ ନିନ୍ଦା କରାଯାଇଛି । ସାମୁଦ୍ରିକ ନୌଚାଳନା ଏବଂ ଅନ୍ତର୍ଜାତୀୟ ବାଣିଜ୍ୟିକ ବ୍ୟବସାୟ ପାଇଁ ଏହି ଆକ୍ରମଣ ଗମ୍ଭୀର ଚିନ୍ତା ସୃଷ୍ଟି କରୁଛି ।

ଅନ୍ୟପଟେ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ରୁଷରେ ଥିବା ଭାରତୀୟ ମିଶନ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରିବା ସହ ପ୍ରଭାବିତ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇବାକୁ ଚେଷ୍ଟା କରୁଛି । ମନ୍ତ୍ରଣାଳୟ ଆହୁରି କହିଛି ଯେ, ଭାରତ ସମସ୍ତ ସମ୍ପୃକ୍ତ ପକ୍ଷଙ୍କୁ ସାମୁଦ୍ରିକ ନୌଚାଳନା ସୁରକ୍ଷା ଏବଂ ବିଶ୍ୱ ବାଣିଜ୍ୟର ନିରବଚ୍ଛିନ୍ନ ପ୍ରବାହ ସୁନିଶ୍ଚିତ କରିବା ପାଇଁ ଅନ୍ତର୍ଜାତୀୟ ଦାୟିତ୍ବ ପାଳନ କରିବାକୁ ଆହ୍ୱାନ କରୁଛି ।

Leave a Reply

Your email address will not be published. Required fields are marked *