Spread the love

ନୂଆଦିଲ୍ଲୀ: ପ୍ରବଳ ବର୍ଷା ଓ ବନ୍ୟାରେ ପ୍ରଭାବିତ ହୋଇଛି ଗୁଜରାଟ । ମହାରାଷ୍ଟ୍ର-ଗୁଜରାଟ ସୀମାରେ ଲଗାତାର ବର୍ଷା ହେବାରୁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଗତ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ଗୁଜରାଟର ଭଲସାଡ଼ ଜିଲ୍ଲାରେ ସବୁଠାରୁ ଅଧିକ ବର୍ଷା ହୋଇଛି । ଉମରଗାଓଁ ଅଞ୍ଚଳରେ ଦୁଇ ଦିନରେ ପ୍ରାୟ ୫୭ ଇଞ୍ଚ ବର୍ଷା ରେକର୍ଡ ହୋଇଛି । ସମଗ୍ର ଭଲସାଡ଼ ଜିଲ୍ଲାରେ ହାରାହାରି ୪୦ ଇଞ୍ଚ ବର୍ଷା ହୋଇଛି । ନବସାରୀ ଜିଲ୍ଲାରେ ମଧ୍ୟ ୩୨ରୁ ୩୫ ଇଞ୍ଚ ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ ବର୍ଷାର ପ୍ରଭାବ ମଧ୍ୟ ଓ ଉତ୍ତର ଗୁଜରାଟକୁ ବ୍ୟାପିଛି ।

ଅହମଦାବାଦରେ ମଧ୍ୟ ଗତ ୨୪ ଘଣ୍ଟା ଧରି ଲଗାତାର ବର୍ଷା ହେଉଛି । ସହରରେ ୧୨ ଇଞ୍ଚରୁ ଅଧିକ ବର୍ଷା ହୋଇଥିବାବେଳେ ସମଗ୍ର ଜିଲ୍ଲାରେ ହାରାହାରି ୧୪ ଇଞ୍ଚ ବର୍ଷା ରେକର୍ଡ ହୋଇଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଜି ଅହମଦାବାଦର ସମସ୍ତ ସ୍କୁଲ ଓ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି । ଏଥିସହ ଖେଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ଏକ ଦୁଃଖଦ ଘଟଣା ଘଟିଛି । ଖେଡ଼ା-ମାତର ହାଇୱେରେ ଏକ କାର ନାଳରେ ପଡ଼ି ଭାସିଯାଇଥିଲା । କାରରେ ୬ ଜଣ ଥିଲେ, ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି । ଆହତ ଦୁଇ ଜଣଙ୍କୁ ଖେଡ଼ା ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ସମସ୍ତେ ଅହମଦାବାଦର ବାସିନ୍ଦା ବୋଲି ଜଣାପଡ଼ିଛି ।

ଅନ୍ୟପଟେ ଭଲସାଡ଼ରେ ଏକ ଲଗ୍ଜରୀ ବସ୍ ବନ୍ୟା ପାଣିରେ ଫସିଯାଇଥିଲା । ବସରେ ଥିବା ୩୫ ଜଣ ଯାତ୍ରୀଙ୍କୁ ହେଲିକପ୍ଟର ସହାୟତାରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଉମରଗାଓଁ ତହସିଲର ସଞ୍ଜାନ-ହୁମରାଣ ରାସ୍ତାର ଏକ ପୋଲ ଭାଙ୍ଗିଯାଇଛି, ଯାହା ଫଳରେ ଲୋକମାନଙ୍କ ମଧ୍ୟରେ ଭୟର ପରିସ୍ଥିତି ସୃଷ୍ଟି ହୋଇଛି । ଭଲସାଡ଼ରେ ପରିସ୍ଥିତି ଖରାପ ହେବାରୁ ସ୍କୁଲ ବନ୍ଦ କରାଯାଇଛି ।

ଭଲସାଡ଼ ସହ ନବସାରୀ, ସୁରଟ ଓ ତାପି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ଯୋଗୁ ରାସ୍ତାଘାଟ ଜଳମଗ୍ନ ହୋଇଛି ଏବଂ ଘର ଭିତରକୁ ପାଣି ପଶିଯାଇଛି । ନବସାରୀରେ ଏନଡିଆରଏଫ ଟିମ୍ ଖାଖୱାଡା ଅଞ୍ଚଳରୁ ୩୮ ଜଣଙ୍କୁ ଉଦ୍ଧାର କରିଛି । ପରିସ୍ଥିତିର ସମୀକ୍ଷା ପାଇଁ ଗୁଜରାଟର ଉପମୁଖ୍ୟମନ୍ତ୍ରୀ ହର୍ଷ ସଂଘଭୀ ନବସାରୀ ଓ ଭଲସାଡ଼ ଗସ୍ତ କରି କ୍ଷୟକ୍ଷତିର ଆକଳନ କରିବା ସହ ପୀଡ଼ିତମାନଙ୍କୁ ସମସ୍ତ ପ୍ରକାର ସହାୟତାର ଆଶ୍ୱାସନ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *