ଭୁବନେଶ୍ୱର: ଯାତ୍ରୀଙ୍କ ସୁବିଧା ବୃଦ୍ଧି ଏବଂ ସହରର ସୌନ୍ଦର୍ଯ୍ୟକରଣ ଦିଗରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଜନପଥ କରିଡର୍ର ପ୍ରମୁଖ ସ୍ଥାନଗୁଡ଼ିକରେ ଆଧୁନିକ ଟ୍ରାଫିକ୍ ଏବଂ ପାର୍କିଂ-ସହ-ଯାତ୍ରୀ ଆଶ୍ରୟସ୍ଥଳ (ସେଡ୍) ନିର୍ମାଣ ପାଇଁ ଏକ ପାଇଲଟ୍ ପ୍ରକଳ୍ପ ଆରମ୍ଭ କରିଛନ୍ତି ।
ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଯାତ୍ରୀମାନଙ୍କୁ ଉନ୍ନତ ସୁବିଧା ଯୋଗାଇବା ସହିତ ରାସ୍ତାଘାଟର ପରିବେଶକୁ ଅଧିକ ସବୁଜ ଓ ଆକର୍ଷଣୀୟ କରିବ । ସମସ୍ତ ସମ୍ପୃକ୍ତ ଅଂଶୀଦାରଙ୍କ ସକ୍ରିୟ ଅଂଶଗ୍ରହଣ ମାଧ୍ୟମରେ ସହରଗୁଡ଼ିକରେ ବାୟୁର ଗୁଣବତ୍ତା ଉନ୍ନତ କରିବା ଲକ୍ଷ୍ୟ ନେଇ ‘ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ’ (ଏନ୍ସିଏପି) ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି ।
ସହରର ଦୁଇଟି ବ୍ୟସ୍ତବହୁଳ ଅଞ୍ଚଳ ରୂପାଲୀ ଛକ ଓ ପାୱାର ହାଉସ୍ ଛକ ନୂତନ ଟ୍ରାଫିକ୍ ସେଡ୍ (ଆଶ୍ରୟସ୍ଥଳ) ନିର୍ମାଣ କାର୍ଯ୍ୟ ଚାଲିଛି । ପ୍ରକଳ୍ପର ଅଂଶବିଶେଷ ଭାବେ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଯାତ୍ରୀଙ୍କ ସୁବିଧା ପାଇଁ ଆଧୁନିକ ଟ୍ରାଫିକ୍ ସେଡ୍ ତିଆରି କରାଯାଉଛି । ଏହା ବ୍ୟତୀତ ଜନପଥ କରିଡର୍ର ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ଚାରୋଟି ପାର୍କିଂ-କମ୍-ଯାତ୍ରୀ ଆଶ୍ରୟସ୍ଥଳ ନିର୍ମାଣ କରାଯାଉଛି। ପଥଚାରୀ, ଯାତ୍ରୀ ଓ ଗାଡ଼ି ଚାଳକଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ଏହି ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି । ଏହି ପଦକ୍ଷେପ ସହରର ଟ୍ରାଫିକ୍ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଯାତ୍ରୀଙ୍କୁ ଅଧିକ ସୁବିଧା ପ୍ରଦାନ କରିବ ବୋଲି ଆଶା କରାଯାଉଛି ।