Spread the love

କୋଇଡ଼ା : ନଈରେ ପୋଲ ନ ଥିବାରୁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ। ରୋଗୀଙ୍କୁ ନେବା ପାଇଁ ନଈ ଆରପଟେ ଅପେକ୍ଷା କରି ରହିଲା। ଏପଟେ ରୋଗୀଙ୍କ ଅବସ୍ଥା ଅଧିକ ବିଗିଡ଼ିବାରୁ ଗ୍ରାମବାସୀ ବାଧ୍ୟ ହୋଇ ନିଜ ଜୀବନକୁ ବାଜି ଲଗାଇ ଭରାନଈରେ ରୋଗୀଙ୍କୁ ପାର୍‌ କରାଇଲେ। ସୁନ୍ଦରଗଡ଼ ଜିଲାର ଖଣି ସମୃଦ୍ଧ କୋଇଡ଼ା ଅଞ୍ଚଳରୁ ଆଜି ଏପରି ଏକ ଦୃଶ୍ୟ ସାମ୍ନାକୁ ଆସିଛି। ରୋଗୀଜଣଙ୍କ ହେଲେ, କୋଇଡ଼ା ବ୍ଳକ କେ. ବଲାଙ୍ଗ ଥାନା ଅନ୍ତର୍ଗତ ଗାଢ଼ାଟୋଲା ଗାଁର ତେଲାନ ସାମଦ। ତାଙ୍କୁ ପ୍ରଥମେ କେ.ବଲାଙ୍ଗ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସୂଚନାନୁଯାୟୀ, ତେଲାନଙ୍କ ସ୍ବାସ୍ଥ୍ୟାବସ୍ଥା ଆଜି ଅଚାନକ ବିଗିଡ଼ି ଯାଇଥିଲା। ତାଙ୍କୁ ହସ୍ପିଟାଲ ନେବା ଲାଗି ପରିବାରଲୋକ ଆମ୍ବୁଲାନ୍ସ ଡକାଇଥିଲେ। କିନ୍ତୁ ସମିଜ ନଦୀରେ ଏବେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଏବଂ ନଦୀ ଉପରେ ପୋଲ ନଥିବାରୁ ଆମ୍ବୁଲାନ୍ସଟି ନଦୀ ଆରପଟେ ଅପେକ୍ଷା କରି ରହିଥିଲା। ବାଧ୍ୟ ହୋଇ ଗ୍ରାମବାସୀ ନିଜ ଜୀବନକୁ ବିପନ୍ନ କରି ସାମଦଙ୍କୁ ଖଟରେ ବୋହି ଭରାନଈ ପାରି କରାଇଥିଲେ। ଏହି ଅଞ୍ଚଳ ପ୍ରତିବର୍ଷ ପ୍ରାୟ ୨୦ ହଜାର କୋଟି ଟଙ୍କାର ରାଜସ୍ବ ଦେଉଛି। କିନ୍ତୁ, ଅଞ୍ଚଳବାସୀଙ୍କ ପାଇଁ ସ୍ବାସ୍ଥ୍ୟସେବା ଏପର୍ଯ୍ୟନ୍ତ ଅପହଞ୍ଚ ହୋଇରହିଛି। ସବୁବର୍ଷ ଜୋର୍ ବର୍ଷା ହେଲେ ସମିଜ ନଦୀ ଫୁଲି ଉଠେ। କେ.ବଲାଙ୍ଗ ପଞ୍ଚାୟତର ଗାଢ଼ାଟୋଲା ଓ ବାକରଟୋଲା ଗ୍ରାମବାସୀ ବର୍ଷା ତିନି ଚାରି ମାସ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାନ୍ତି। ଏହି ନଈ ଉପରେ ପୋଲ ନିର୍ମାଣ କରାଯିବା ପାଇଁ ଅଞ୍ଚଳବାସୀ ଅ​‌େ​‌ନକ ବର୍ଷ ହେଲା ଦାବି କରି ଆସୁଥିଲେ ମଧ୍ୟ କେହି ସେମାନଙ୍କ କଥା ଶୁଣୁନାହାନ୍ତି। ତେଣୁ, ବର୍ଷା ଋତୁରେ ରୋଗୀ ଖଟରେ ବୁହାହୋଇ ନଈ ପାରି ହୁଅନ୍ତି। ତେବେ, ନଈରେ ପାଣି ଆହୁରି ବଢ଼ିଲେ ପାରି ହୋଇନପାରି ଭାଗ୍ୟକୁ ଆଦରି ରୋଗଶଯ୍ୟାରେ ପଡ଼ିଥାନ୍ତି।

Leave a Reply

Your email address will not be published. Required fields are marked *