Spread the love

ଚିଲିକା: ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ । ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ସାରା ବିଶ୍ୱ ବଡ଼ଦାଣ୍ଡରେ ରଥଟଣା ଦେଖୁଛି । ସେତିକିବେଳେ ଚିଲିକା ହ୍ରଦ ମଧ୍ୟରେ ଥିବା କଙ୍କଣ ଶିଖରୀଠାରେ ସମ୍ପୂର୍ଣ୍ଣ ନିଆରା ପରମ୍ପରା ଦେଖିବାକୁ ମିଳିଛି। ଏଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଦିନାତ୍ମକ ଯାତ୍ରା କୌଣସି କାଠ ରଥରେ ନୁହେଁ, ବରଂ ନୀଳ ଜଳରାଶିରେ ସୁସଜ୍ଜିତ ଡଙ୍ଗା ମାଧ୍ୟମରେ ହୋଇଛି। ଠାକୁରଙ୍କ ଅନନ୍ୟ ‘ଜଳ ରଥଯାତ୍ରା’ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି। ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ, ପୋଲିସ, ମନ୍ଦିର କମିଟି ଓ ଚିଲିକା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷିତ ଭାବେ ଶ୍ରଦ୍ଧାଳୁମାନେ ଯେପରି ମହାପ୍ରଭୁଙ୍କ ଦର୍ଶନ କରିପାରିବେ, ସେଥିପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇଛି । ବିଶ୍ୱରେ ଏକମାତ୍ର ସ୍ଥାନ ଯେଉଁଠି ‘ଜଳ ରଥଯାତ୍ରା’ ଅନୁଷ୍ଠିତ ହୁଏ ।

ଏଥିପାଇଁ ଅଗ୍ନିଶମ ବାହିନୀର ୩ଟି ଟିମ୍ ନିୟୋଜିତ ଅଛନ୍ତି। ବନ ବିଭାଗ ପକ୍ଷରୁ ୨ଟି ଡଙ୍ଗା ଯୋଗାଇ ଦିଆଯାଇଥିବା ବେଳେ ସ୍ଥାନୀୟ ମତ୍ସ୍ୟଜୀବୀ ସମ୍ପ୍ରଦାୟ ମଧ୍ୟ ସହାୟତାର ହାତ ବଢ଼ାଇ ୧୦ଟି ଡଙ୍ଗା ପ୍ରଦାନ କରିଛନ୍ତି । ଏଠାର ରଥଯାତ୍ରା ସମ୍ପୂର୍ଣ୍ଣ ଭିନ୍ନ ଓ ଆଧ୍ୟାତ୍ମିକ ଭାବନାରେ ପରିପୂର୍ଣ୍ଣ । ହ୍ରଦ ମଧ୍ୟରେ, ଜଳ ଉପରେ ଯାତ୍ରା ହେଉଥିବାରୁ ଏହାକୁ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ପ୍ରଶାସନ, ପୋଲିସ, ଚିଲିକା ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ମିଳିତ ଭାବେ ଦିନରାତି କାର୍ଯ୍ୟ କରୁଥିବା ଚିଲିକା ବନ୍ୟପ୍ରାଣୀ ବିଭାଗର ଡିଏଫ୍ଓ ମ୍ଳାନ ନାୟକ କହିଛନ୍ତି । ଜଳପଥରେ ମହାପ୍ରଭୁଙ୍କ ଅଲୌକିକ ଯାତ୍ରା ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ଭକ୍ତଙ୍କୁ ଦିବ୍ୟ ଅନୁଭୂତି ପ୍ରଦାନ କରୁଛି।

Leave a Reply

Your email address will not be published. Required fields are marked *