Prayagraj, May 13 (ANI): Students celebrate and cheer after the declaration of CBSE Class 12 board results at their school, in Prayagraj on Wednesday. (ANI Photo)
Spread the love

ଭୁବନେଶ୍ବର: ୨୦୨୬-୨୭ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଜୁନିୟର କଲେଜରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି। ଏହି ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ୪ ଲକ୍ଷ ୨୯ ହଜାର ୨୧୯ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ ଲକ୍ଷ ୮୨ ହଜାର ୮୩୫ ଜଣ ନାମ ଲେଖାଇଛନ୍ତି। ଏବେ ୨ ଲକ୍ଷ ୧୮ ହଜାର ୨୬୪ ଆସନ ଖାଲି ରହିଛି। ଆସନ୍ତା ୨୩ରେ ଦ୍ବିତୀୟ ମେଧା ତାଲିକା ପ୍ରକାଶ ପାଇବା ସହ ସେହିଦିନଠାରୁ ଏକାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବ ବୋଲି ଧାର୍ଯ୍ୟ ହୋଇଛି।
ସାମ୍‌ସ ପୋର୍ଟାଲରେ ଉପଲବ୍ଧ ତଥ୍ୟ ଅନୁଯାୟୀ, ରାଜ୍ୟରେ ୨୫୭୯ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋଟ ୬,୦୧,୦୯୯ ଆସନ ରହିଛି। ପ୍ରଥମ ପର୍ଯ୍ୟାୟରେ ୩,୮୨,୮୩୫ ଆସନରେ ନାମଲେଖା ହୋଇଥିବା ବେଳେ ୨,୧୮,୨୬୪ ଆସନ ଖାଲି ଅଛି। କଳାରେ ମୋଟ ୩,୩୮,୬୪୨ ଆସନ ଥିବା ବେଳେ ପ୍ରଥମ ପର୍ଯ୍ୟାୟ
ନାମଲେଖା ପରେ ୯୦,୪୦୨ ଆସନ ବଳକା ରହିଛି। ସେହିପରି, ବିଜ୍ଞାନରେ ୮୭,୧୬୭, ବାଣିଜ୍ୟରେ ୨୫,୯୪୩, ସଂସ୍କୃତରେ ୮,୪୨୨ ଏବଂ ଧନ୍ଦାମୂଳକ ଶିକ୍ଷାରେ ୬,୩୩୦ ଆସନ ଖାଲି ପଡ଼ିଛି। ପ୍ରଥମ ମେଧା ତାଲିକାରେ ମନୋନୀତ ଛାତ୍ରଛାତ୍ରୀଙ୍କ ନାମଲେଖା ଗତ ୯ରୁ ୧୫ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଛି। ଆସନ୍ତା ୨୩ରେ ଦ୍ବିତୀୟ ମେଧା ତାଲିକା ପ୍ରକାଶ ପାଇବ। ଏହି ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ହେବାକୁ ଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ୨୪ରୁ ୨୮ତାରିଖ ପର୍ଯ୍ୟନ୍ତ ଚାଲିବ। ପରେ ସ୍ପଟ୍‌ ନାମଲେଖା ହେବ।

ଅପରପକ୍ଷେ, ୨୦୨୬-୨୭ ଶିକ୍ଷାବର୍ଷରୁ ରାଜ୍ୟ ସରକାର ‘ଜ୍ଞାନୋଦୟ-ଶିକ୍ଷାରୁ ସମୃଦ୍ଧି’ (କେଜିରୁ ପିଜି ନିଃଶୁଳ୍କ ଶିକ୍ଷାଦାନ) ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ କିଛି ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କଠାରୁ ବିଭିନ୍ନ ଫି’ ଆଦାୟ କରୁଥିବା ଅଭିଯୋଗ ହେବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ନାତକ(ୟୁଜି) ଏବଂ ସ୍ନାତକୋତ୍ତର(ପିଜି)ରେ ମାଗଣା ନାମଲେଖା ନେଇ ନିୟମାବଳୀ ଜାରି ହୋଇଛି। କିନ୍ତୁ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଆସୁଥିବା +୨ ଶ୍ରେଣୀ ପାଇଁ ଏପର୍ଯ୍ୟନ୍ତ ନିୟମାବଳୀ ଜାରି କରାଯାଇନି। ନାମଲେଖା ସମୟରେ ଛାତ୍ରଛାତ୍ରୀଙ୍କଠାରୁ ଫି’ ଆଦାୟ ନ କରିବାକୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଥିବାବେଳେ ବିସ୍ତୃତ ନିୟମାବଳୀକୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଅପେକ୍ଷା କରିଛନ୍ତି।

Leave a Reply

Your email address will not be published. Required fields are marked *