ଭୁବନେଶ୍ବର: ଜନଗଣନା-୨୦୨୭କୁ ଦୃଷ୍ଟିରେ ରଖି ଓଡ଼ିଶାରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍ (ଡିସିଏଚ୍ବି) ପ୍ରସ୍ତୁତି ପାଇଁ ଆବଶ୍ୟକ ଗ୍ରାମ ଓ ସହର ନିର୍ଦ୍ଦେଶିକା ସମ୍ବନ୍ଧୀୟ ତଥ୍ୟ ସଂଗ୍ରହରେ ସମସ୍ତ ବିଭାଗ ଓ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ପୂର୍ଣ୍ଣ ସହଯୋଗ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ପରିଷଦର ସିଡିଓ-ତଥା-ଇଓ ଏବଂ ବ୍ଲକ୍ ଉନ୍ନୟନ ଅଧିକାରୀ (ବିଡିଓ)ମାନଙ୍କୁ ଚିଠି ଜାରି କରାଯାଇଛି ।
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସ୍ୱତନ୍ତ୍ର ସଚିବ ସୂର୍ଯ୍ୟ ନାରାୟଣ ଦାଶ ଜାରି କରିଥିବା ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ, ଭାରତ ସରକାରଙ୍କ ଜନଗଣନା ପରିଚାଳନା ଓ ନାଗରିକ ପଞ୍ଜୀକରଣ ନିର୍ଦ୍ଦେଶକଙ୍କ ଅନୁରୋଧ କ୍ରମେ ଏହି ତଥ୍ୟ ସଂଗ୍ରହ କାର୍ଯ୍ୟ ଆରମ୍ଭ ହେଉଛି । ତେଣୁ ଅଧୀନସ୍ଥ ସମସ୍ତ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ଏହି କାର୍ଯ୍ୟ ସମ୍ପର୍କରେ ସଚେତନ କରିବା ସହ ଜନଗଣନା କର୍ତ୍ତୃପକ୍ଷ ଆବଶ୍ୟକ ପଡ଼ିଲେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ କୁହାଯାଇଛି ।
ଜନଗଣନା ବିଭାଗ ସୂଚନା ଦେଇଛି ଯେ, ଡିଷ୍ଟ୍ରିକ୍ଟ ସେନ୍ସସ୍ ହ୍ୟାଣ୍ଡବୁକ୍ (DCHB) ହେଉଛି ଜନଗଣନାର ଏକ ପ୍ରମୁଖ ପ୍ରକାଶନ । ଏଥିରେ ପ୍ରତ୍ୟେକ ଗାଁ ଓ ସହର ସମ୍ବନ୍ଧୀୟ ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟାଙ୍କିଂ, ପରିବହନ, ଯୋଗାଯୋଗ, ପରିମଳ ବ୍ୟବସ୍ଥା, ନାଗରିକ ସୁବିଧା ଓ ଅନ୍ୟାନ୍ୟ ସାମାଜିକ-ଆର୍ଥିକ ସୂଚନା ସ୍ଥାନ ପାଇଥାଏ । ଏହି ତଥ୍ୟ ସରକାରୀ ଯୋଜନା ପ୍ରସ୍ତୁତି, ପ୍ରଶାସନିକ କାର୍ଯ୍ୟ, ଗବେଷଣା ଓ ନୀତି ନିର୍ଦ୍ଧାରଣରେ ଗୁରୁତ୍ୱପୂର୍ଣ୍ଣ ଆଧାର ଭାବେ ବ୍ୟବହୃତ ହୁଏ ।