ଭୁବନେଶ୍ୱର: ଦୀର୍ଘ ଦିନର କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ତଥା କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଶେଷରେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ ହୋଇଛନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ପଦ୍ମ ଟୋପି ପିନ୍ଧିଛନ୍ତି। ବିଜେପିରେ ମିଶିବା ପରେ ପ୍ରଭାତ ବିଶ୍ୱାଳ ନିଜ ପୂର୍ବତନ ଦଳ ବିଜେଡି ଉପରେ ପ୍ରବଳ ବର୍ଷିବା ସହ ଓଡ଼ିଶା ରାଜନୀତିକୁ ଗରମ କରିଦେଲା ଭଳି ବଡ଼ ବୟାନ ଦେଇଛନ୍ତି।
“ବଣିଆ ସୁନା ଚିହ୍ନିଲାନି, ବିଜେପି ସମ୍ମାନ ଦେଲା”
ବିଜେପି ମଞ୍ଚରୁ ନିଜର ଦୀର୍ଘ ବର୍ଷର କ୍ଷୋଭ ଓ ଅଭିମାନ ପ୍ରକାଶ କରି ପ୍ରଭାତ କହିଛନ୍ତି, “ମୁଁ ଭାବିଥିଲି ସେମାନେ ସୁନାକୁ ଚିହ୍ନିବେ, କିନ୍ତୁ ମୋ ଆକଳନ ସମ୍ପୂର୍ଣ୍ଣ ଭୁଲ୍ ସାବ୍ୟସ୍ତ ହେଲା। ବଣିଆ ହୋଇ ମଧ୍ୟ ସେମାନେ ଖାଣ୍ଟି ସୁନାକୁ ଚିହ୍ନିପାରିଲେ ନାହିଁ। ବିଳମ୍ବରେ ହେଲେ ବି ବିଜେପି ଏହି ସୁନାର ମୂଲ୍ୟ ବୁଝିଛି ଏବଂ ଆଦର କରିଛି। ସେ ଦଳ ପାଇଁ ବିଗତ ୨୪ ବର୍ଷ ଧରି ରକ୍ତ ଏବଂ ଝାଳ ବୁହାଇଛନ୍ତି। ଜଣେ ନିଷ୍ଠାପର ନେତା ଭାବେ ଦୀର୍ଘ ୩୦ ବର୍ଷ ହେଲା ସେ ସାଧାରଣ ଜନତାଙ୍କ ସେବା କରିଆସୁଛନ୍ତି।
“ବହୁ ନେତାଙ୍କ ଜାତକ ମୋ ପାଖରେ ଅଛି”
ବିଜେଡିର ଶୀର୍ଷ ନେତୃତ୍ୱଙ୍କୁ ଚେତାବନୀ ଦେଇ ପ୍ରଭାତ କହିଛନ୍ତି ଯେ, ସେ ଦୀର୍ଘ ବର୍ଷ ଧରି ସଂଗଠନର ପଛପଟେ ରହି କାମ କରିଛନ୍ତି। ୧୨ ବର୍ଷ ଜଣଙ୍କ ଦାୟିତ୍ୱରେ ପ୍ରଚ୍ଛଦପଟରେ ରହିଥିବା ବେଳେ ବାକି ୧୨ ବର୍ଷ ଆଉ ଜଣଙ୍କ ନେତୃତ୍ୱରେ ଦଳକୁ ମଜବୁତ କରିଥିଲେ। ସେତେବେଳେ ସମସ୍ତେ ତାଙ୍କ ଠାରୁ ସହଯୋଗ ନେଉଥିଲେ। “ଆଜି ମୁଁ ଏହି ବିଶାଳ ସଂଗଠନର ଜଣେ ସାଧାରଣ କର୍ମୀ ହୋଇପାରେ, କିନ୍ତୁ ବିଜେଡିର ଅନେକ ବଡ଼ ବଡ଼ ନେତାଙ୍କ ଜାତକ ମୋ ପାଖରେ ସୁରକ୍ଷିତ ଅଛି” ବୋଲି ପ୍ରଭାତ ଖୋଲାଖୋଲି କହିଛନ୍ତି।
କର୍ପୋରେଟରମାନଙ୍କୁ ଅଟକ ରଖିବା ନେଇ ସଙ୍ଗୀନ ଅଭିଯୋଗ
ଆଜିର ମିଶ୍ରଣ ପର୍ବକୁ ଭଣ୍ଡୁର କରିବା ପାଇଁ ବିଜେଡି ରଣନୀତି ପ୍ରସ୍ତୁତ କରିଥିବା ନେଇ ପ୍ରଭାତ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, କଟକର କିଛି ନେତା ବିଗତ ୭ ଦିନ ହେଲା ଡେରା ପକାଇ ରହିଛନ୍ତି। ତାଙ୍କ ସହ ବିଜେପିକୁ ଆସୁଥିବା କର୍ପୋରେଟରମାନଙ୍କୁ ଜୋର ଜବରଦସ୍ତ ଅଟକାଇ ରଖାଯାଇଛି। ତେବେ ଏହା ସତ୍ତ୍ୱେ ମଧ୍ୟ ଶେଷରେ ସତ୍ୟର ହିଁ ଜୟ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି।
“ଗୁଣ୍ଡୁଚି ମୂଷା ଭଳି ବିଜେପି ପାଇଁ କାମ କରିବି”
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିଚାରଧାରାକୁ ଆଦର୍ଶ ବୋଲି ମାନି ପ୍ରଭାତ କହିଛନ୍ତି, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ନିର୍ବାଚନର ଫଳାଫଳ ହିଁ ଏହାର ସବୁଠାରୁ ବଡ଼ ଉଦାହରଣ। ସେ କୌଣସି ପଦପଦବୀ ଆଶାରେ ନୁହେଁ, ବରଂ ଜଣେ ସାଧାରଣ ସୈନିକ ବା “ଗୁଣ୍ଡୁଚି ମୂଷା” ଭଳି ନିଷ୍ଠାର ସହ ବିଜେପି ସଂଗଠନ ପାଇଁ କାମ କରିବେ।
ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତିଙ୍କୁ ପ୍ରଶଂସା
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଜଣେ ଅତି ଭଲ, ଉଦାର ଏବଂ ଦରଦୀ ମଣିଷ ବୋଲି କହିବା ସହ ତାଙ୍କ ସରକାର ପ୍ରକୃତରେ ‘ଲୋକଙ୍କ ସରକାର’ ବୋଲି ପ୍ରଭାତ କହିଛନ୍ତି। ବିଧାନସଭା ସମୟରୁ ମୋହନ ବାବୁଙ୍କ ସହ ତାଙ୍କର ଉତ୍ତମ ସମ୍ପର୍କ ରହିଛି ଏବଂ କେନ୍ଦୁଝର ଗଲେ ମୁଖ୍ୟମନ୍ତ୍ରୀ ତାଙ୍କୁ ସବୁବେଳେ ଭବ୍ୟ ଆତିଥ୍ୟ ଦିଅନ୍ତି ବୋଲି ସେ ମନେ ପକାଇଛନ୍ତି। ସେହିପରି ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କୁ ବ୍ୟକ୍ତିଗତ ଭାବେ ବହୁତ ଭଲ ପାଆନ୍ତି ଏବଂ ତାଙ୍କ ପରିଶ୍ରମୀ ଚିନ୍ତାଧାରା ଯୋଗୁଁ ଆଜି ଓଡ଼ିଶାରେ ପରିବର୍ତ୍ତନ ସମ୍ଭବ ହୋଇଛି ବୋଲି ପ୍ରଭାତ କହିଛନ୍ତି।