Spread the love

ପୁରୀ : ଇସ୍କନ ସ୍ପଷ୍ଟୀକରଣର କଡ଼ା ଜବାବ ରଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଲିଖିତ ଭାବେ ଆସନ୍ତାକାଲି ଏହାର କଡ଼ା ଜବାବ ଦିଆଯିବ। ଇସ୍କନ ମୁମ୍ବାଇ ସ୍ଥିତ ଜୁହୁ ଶାଖା ପକ୍ଷରୁ ଦିଆଯାଇଥିବା ପ୍ରେସ ରିଲିଜ୍ ରେ ରହିଥିବା ତଥ୍ୟ ସଂପୂର୍ଣ୍ଣ ମିଥ୍ୟା ଓ ଅପ୍ରାସଙ୍ଗିକ। ଶ୍ରୀନହରରେ ପୁରୀର ବିଦ୍ୱାନ ଓ ଇସ୍କନ ବିଦ୍ୱାନଙ୍କ ମଧ୍ୟରେ ଆଲୋଚନା ଓ ତର୍କ ହୋଇଥିଲା। ତେବେ ପୁରୀ ବିଦ୍ୱାନ ତର୍କରେ ହାରିଯାଇଥିଲେ ବୋଲି ଇସ୍କନ ସଂପୂର୍ଣ୍ଣ ମନଗଢ଼ା କାହାଣୀ କହୁଛି।

୧୯୯୧ ମସିହାରେ ଇସ୍କନ ନିମନ୍ତ୍ରଣ କ୍ରମେ ସେ ଜର୍ମାନୀର ବର୍ଲିନ୍ ସହରକୁ ଯାଇଥିଲେ। ସେତେବେଳେ ସେଠାରେ ରଥଯାତ୍ରା ଆୟୋଜିତ ହେଉଥିଲା। ତେବେ ଗଜପତି ସେଠାକାର ରଥଯାତ୍ରାକୁ ପ୍ରଶଂସା କରିନଥିଲେ କି ସେଠାରେ ରଥଯାତ୍ରା ଆୟୋଜନ ପାଇଁ ସ୍ୱୀକୃତି ଦେଇନଥିଲେ। ୧୯୯୧ ମସିହା ପୂର୍ବରୁ ଇସ୍କନ ଅଦିନିଆ ରଥଯାତ୍ରା ଆୟୋଜନ କରିଆସୁଥିଲା। ସେ ଜାଣିବା ପରେ ବ୍ୟକ୍ତିଗତ ଭାବେ ଏହା ବନ୍ଦ କରିବା ପାଇଁ ପ୍ରଥମେ ମୌଖିକ ଓ ପରେ ଚିଠି ମାଧ୍ୟମରେ ବାରମ୍ବାର ଜଣାଇଥିଲେ।

ଶ୍ରୀମନ୍ଦିର ପରିଚାଳନା କମିଟି ମଧ୍ୟ ଲିଖିତ ଭାବେ ଅନେକ ଥର ଇସ୍କନ ଜିଭିସିକୁ ଏ ସମ୍ପର୍କରେ ଅବଗତ କରାଇଥିଲା।ଏହା ସତ୍ତ୍ୱେ ଇସ୍କନ ବିଶ୍ୱର ବିଭିନ୍ନ ସ୍ଥାନରେ ଅ-ତିଥିରେ ଓ ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନ କରିଆସୁଛି। ବର୍ତ୍ତମାନ ପ୍ରବାସୀ ଭାରତୀୟଙ୍କ ସହ ଭାରତ ଓ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ବିରୋଧ ପରେ ଇସ୍କନ ପ୍ରେସ ରିଲିଜ୍ ମାଧ୍ୟମରେ ଏଭଳି ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ଦେଇଛି। ସେମାନଙ୍କ ପାଖରେ ଆଉ କିଛି ବାଟ ନାହିଁ ବୋଲି କଡା ଶବ୍ଦର କହିଛନ୍ତି ଗଜପତି ଗଜପତି ମହାରାଜା ଦିବ୍ୟସିଂହ ଦେବ।

Leave a Reply

Your email address will not be published. Required fields are marked *