ପୁରୀ: ପୁରୀ ଜିଲ୍ଲାପାଳଙ୍କ ଚିଠି ପରେ ହଲଚଲ । ରାଜସ୍ଥାନରେ ଅଦିନିଆ ରଥଯାତ୍ରା ଉପରେ ରୋକ୍ । ସିକର ପୋଲିସକୁ ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସନାତନ ସଂସ୍କୃତି ଓ ପରମ୍ପରା ସହ କୌଣସି ବୁଝାମଣା କରାଯିବ ନାହିଁ । ରାଜସ୍ଥାନର ସିକର ଜିଲ୍ଲାରେ ବିଶ୍ୱ ସନାତନ ଧର୍ମ ସେବା ସଂସ୍ଥାନ ଏବଂ ଶ୍ରୀ ଖାଟୁ ଶ୍ୟାମ ମଣ୍ଡଳ ଦ୍ୱାରା ଆୟୋଜିତ ହେବାକୁ ଥିବା “ଅଦିନିଆ ରଥଯାତ୍ରା” ଉପରେ ଜିଲ୍ଲା ପ୍ରଶାସନ ତରଫରୁ ଶକ୍ତ କଟକଣା । ଆଜି ହେବାକୁ ଥିବା ଏହି ରଥଯାତ୍ରାକୁ ରୋକିବା ପାଇଁ ପୋଲିସ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ସିକର ଜିଲ୍ଲା ମାଜିଷ୍ଟ୍ରେଟ୍ ଜରୁରୀ ନିର୍ଦ୍ଦେଶ ଦେଇଛନ୍ତି । ପୁରୀ ଜିଲ୍ଲାପାଳଙ୍କ ପତ୍ର ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ସଂଗଠନଗୁଡ଼ିକ ଦ୍ୱାରା ଆୟୋଜିତ ରଥଯାତ୍ରା ଏବଂ ସୋସିଆଲ ମିଡିଆରେ କରାଯାଉଥିବା ପ୍ରଚାର ସନାତନ ହିନ୍ଦୁ ଶାସ୍ତ୍ର, ପଞ୍ଜିକା ଏବଂ ଶ୍ରୀମନ୍ଦିରର ଶତାବ୍ଦୀ ଶତାବ୍ଦୀର ପରମ୍ପରା ବିରୋଧୀ ।
ଧାର୍ମିକ ଭାବନାକୁ ଆଘାତରୁ ବଞ୍ଚାଇବା ସହ ଜିଲ୍ଲାରେ ଶାନ୍ତି ଓ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରଶାସନ ଏହି ପଦକ୍ଷେପ ନେଇଛି । ସିକର ଜିଲ୍ଲା ମାଜିଷ୍ଟ୍ରେଟ୍ ଆଶିଷ ମୋଦି ଅଫିସିଆଲ୍ ଚିଠି ଜରିଆରେ ପୋଲିସକୁ ତୁରନ୍ତ ନିୟମାନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି । ଏହା ସହିତ ଦାନ୍ତାରାମଗଡ଼ର ସବ୍-ଡିଭିଜନାଲ ଅଫିସରଙ୍କୁ ମଧ୍ୟ ଏହି ନିର୍ଦ୍ଦେଶର କପି ପଠାଯାଇ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି । ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଯେକୌଣସି ଉତ୍ସବ ଆୟୋଜନ କରିବା ସମୟରେ ସମସ୍ତ ସଂଗଠନ ଶାସ୍ତ୍ରୀୟ ନୀତି ଓ ପାରମ୍ପରିକ ପଞ୍ଜିକାକୁ ସମ୍ପୂର୍ଣ୍ଣ ରୂପେ ପାଳନ କରନ୍ତୁ, ନଚେତ୍ ଆଗକୁ ମଧ୍ୟ ଏଭଳି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।