କର୍ଣ୍ଣାଟକ : କର୍ଣ୍ଣାଟକର ଉତ୍ତର କନ୍ନଡ଼ ଜିଲ୍ଲାରେ ଏକ ଦ୍ରୁତଗାମୀ ଟ୍ରକ୍ ଏବଂ କାର୍ ମଧ୍ୟରେ ଜୋରଦାର୍ ମୁହାଁମୁହିଁ ଧକ୍କା ହେବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅନ୍ୟ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ଖବର ମୁତାବକ, ଉତ୍ତର କନ୍ନଡ଼ ଜିଲ୍ଲା ୟେଲ୍ଲାପୁରା ତାଲୁକାର ଅରାବଲ୍ ଘାଟି ନିକଟରେ ଘଟିଛି । ଧକ୍କା ହୋଇଥିବା କାରରେ ମୋଟ ୯ ଜଣ ଯାତ୍ରୀ ଧାରୱାଡ୍ରୁ ଅଙ୍କୋଲା ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ହୋଇଥିଲା ।
ତେବେ ଗାଡ଼ିଟି ଅରାବଲ୍ ଘାଟିର ବାଲଗର ଅଞ୍ଚଳରେ ପହଞ୍ଚିବା ସମୟରେ ସାମ୍ନା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ସହ ଜୋରଦାର ଧକ୍କା ହୋଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ, କାରଟି ସମ୍ପୂର୍ଣ୍ଣ ଭାବେ ଚୁରମାର୍ ହୋଇଯାଇଥିଲା । ଫଳରେ ୭ ଜଣଙ୍କର ଜୀବନ ଚାଲିଯାଇଥିଲା । ସ୍ଥାନୀୟ ଲୋକ ଏବଂ ପୋଲିସ ସାହାଯ୍ୟରେ ଗୁରୁତର ୨ ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ୟେଲ୍ଲାପୁର ସରକାରୀ ମାଲଖାନାକୁ ପଠାଯାଇଛି ।
ସୂଚନାଯୋଗ୍ୟ, ଗାଡ଼ିରେ ଥିବା ସମସ୍ତ ଯୁବକ ଫୁଡ୍ ଡେଲିଭରି ଆପ୍ ରେ ପାର୍ଟ-ଟାଇମ୍ ଡେଲିଭରି ବୟ ଭାବେ କାମ କରୁଥିଲେ । ଏହି ଭୟଙ୍କର ଦୁର୍ଘଟଣା ପରେ ୟେଲ୍ଲାପୁର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି । ଟ୍ରକ୍ ଚାଳକର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏହି ଅଘଟଣ ଘଟିଥାଇପାରେ ବୋଲି ପ୍ରାଥମିକ ଅନୁମାନ କରାଯାଉଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।