ପୁରୀ: ଶ୍ରୀକ୍ଷେତ୍ର ସହ ଯୋଡ଼ି ହେଲା ଶାବର ଶ୍ରୀକ୍ଷେତ୍ର । ପୂର୍ବରୁ ଶାବର ଶ୍ରୀକ୍ଷେତ୍ର ବା କୋରାପୁଟକୁ ଭୁବନେଶ୍ବରରୁ ଗୋଟିଏ ଟ୍ରେନ୍ ଚଳାଚଳ କରୁଥିବାବେଳେ, ଏବେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଆଜି ପୁରୀରୁ କୋରାପୁଟକୁ ଗଡିଛି ନୂଆ ଟ୍ରେନ୍ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସବୁଜ ପତାକା ଦେଖାଇ ଏହି ଟ୍ରେନର ଶୁଭାରମ୍ଭ କରିଛନ୍ତି ।
ଏହି ଅବସରରେ ସୂଚନା ଦେଇ କେନ୍ଦ୍ର ରେଳ ମନ୍ତ୍ରୀ କହିଥିଲେ ରେଳ ବିଭାଗ ଉପକୂଳ ଓଡ଼ିଶାରୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାକୁ ଯୋଡ଼ିବ । ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାକୁ ଟ୍ରେନ୍ ଚଳାଚଳ କରିବ । ଓଡ଼ିଶାର ରେଳ ସଂଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୯୭ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ପୁରୀ ବିଶ୍ୱସ୍ତରୀୟ ରେଳ ଷ୍ଟେସନରେ ପରିଣତ ହୋଇଛି । ରାଜ୍ୟରେ ୫୦ଟି ଷ୍ଟେସନର ପୁନଃନିର୍ମାଣ ଓ ନବୀକରଣ କରାଯାଉଛି ।
କେନ୍ଦ୍ର ରେଳ ମନ୍ତ୍ରୀ ପୁରୀ ରେଳ ଷ୍ଟେସନ ସହ ନବୀକରଣ ଓ ପୁନଃ ନିର୍ମିତ ହେବାକୁ ଥିବା ରାଜ୍ୟର ପ୍ରମୁଖ ଷ୍ଟେସନ୍ ଗୁଡିକର ଫଟୋ ଚିତ୍ର ଦେଖାଇଥିଲେ । ଓଡ଼ିଶାରେ ଅଧିକ ରେଳ ଲାଇନ୍ କରାଯାଉଛି ।ଏହା ଫଳରେ ଓଡ଼ିଶାର ରେଳ ମ୍ୟାପ୍ ସଂପୂର୍ଣ୍ଣ ପରିବର୍ତ୍ତିତ ହେବ । ମୁଖ୍ୟମନ୍ତ୍ରୀ ଉତ୍ତର ଓଡ଼ିଶାକୁ ଯୋଗାଯୋଗ କରିବା ପାଇଁ ଏକ ଟ୍ରେନ୍ ଚଳାଚଳ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । କେନ୍ଦ୍ର ରେଳ ମନ୍ତ୍ରୀ ତୁରନ୍ତ ଏହି ପ୍ରସ୍ତାବ ଗ୍ରହଣ କରି ଉତ୍ତର ଓଡ଼ିଶାକୁ ମଧ୍ୟ ଖୁବ୍ ଶୀଘ୍ର ରେଳ ଚଳାଚଳ କରିବ ବୋଲି ଘୋଷଣା କରିଥିଲେ ।