ବାରଣାସୀ: ଉତ୍ତରପ୍ରଦେଶର ବାରଣାସୀ ସ୍ଥିତ କାଶୀ ବିଶ୍ୱନାଥ ମନ୍ଦିରର ଗେଟ୍ ନମ୍ବର–୪ ନିକଟରେ ଶନିବାର ସକାଳେ ଏକ ଅଘଟଣ ଘଟିଛି। PAC (ପ୍ରୋଭିନ୍ସିଆଲ୍ ଆର୍ମ୍ଡ କନଷ୍ଟାବ୍ୟୁଲାରୀ)ର ଜଣେ ଯବାନଙ୍କ କାର୍ବାଇନରୁ ଭୁଲବଶତଃ ଗୁଳି ଫୁଟିଯିବାରୁ ଏକ ଫୁଲମାଳ ଦୋକାନରେ କାମ କରୁଥିବା ୩ ଜଣ ଆହତ ହୋଇଛନ୍ତି। ଘଟଣାର CCTV ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ସୂଚନା ଅନୁସାରେ, ଗୁଳି ଚଳାଇଥିବା PAC ଯବାନଙ୍କ ନାମ ଅମରନାଥ ଚୌହାନ। ସେ ୪୮ତମ ବାଟାଲିଅନରେ କାର୍ଯ୍ୟରତ ଅଛନ୍ତି। ସକାଳ ପ୍ରାୟ ୬ଟା ୪୪ ମିନିଟ୍ରେ ସେ ଗେଟ୍ ନମ୍ବର–୪ର ନନ୍ଦୁ ଫରିଆ ପ୍ରବେଶ ପଥ ସମ୍ମୁଖରେ ଥିବା କୈଳାଶ ପତି ଫୁଲମାଳ ଦୋକାନ ପାଖକୁ ପହଞ୍ଚିଥିବାବେଳେ ତାଙ୍କ ହାତରେ ଥିବା କାର୍ବାଇନରୁ ହଠାତ୍ ଗୁଳି ଫୁଟିଯାଇଥିଲା। ଗୁଳିଟି ସିଧାସଳଖ ଭୂମିରେ ବାଜିଥିଲେ ମଧ୍ୟ ତାହାର ଛର୍ରା (ବନ୍ଧୁକରେ ବ୍ୟବହୃତ ହେଉଥିବା ଛୋଟ ଛୋଟ ଲୁହା କିମ୍ବା ସୀସାର ଗୁଳି) ଉଡ଼ି ଦୋକାନରେ କାମ କରୁଥିବା ୩ ଜଣଙ୍କୁ ଆଘାତ କରିଥିଲା। ଆହତମାନଙ୍କ ମଧ୍ୟରୁ ଜଣଙ୍କ ହାତରେ, ଜଣଙ୍କ ଅଣ୍ଟାରେ ଏବଂ ଅନ୍ୟ ଜଣଙ୍କ ଗୋଡ଼ରେ ଛର୍ରା ବାଜିଛି।