ପୁରୀ : ରଥଯାତ୍ରା ପାଇଁ ପୁରୀକୁ ବଢ଼ିବ ବସ ସଂଖ୍ୟା । ଯାତ୍ରୀଙ୍କ ଠାରୁ ଧାର୍ଯ୍ୟ ଭଡ଼ାଠୁ ଅଧିକ ନେଲେ କାର୍ଯ୍ୟାନୁଷ୍ଠାନ । ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ସୁଗମ ପରିବହନ, ସୁରକ୍ଷିତ ଯାତାୟାତ ଓ ଟ୍ରାଫିକ୍ ସୁପରିଚାଳନା ପାଇଁ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବାଣିଜ୍ୟ ଓ ପରିବହ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ପରିବହନ ଦୃଷ୍ଟିରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉପରେ ବୈଠକରେ ଆଲୋଚନା ହୋଇଥିଲା । ବିଶେଷକରି, ଶ୍ରଦ୍ଧାଳୁଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ପୁରୀ ରୁଟରେ ବସ୍ ସଂଖ୍ୟା ବୃଦ୍ଧି କରାଯିବ । ଅସ୍ଥାୟୀ ପରମିଟ୍ ପ୍ରଦାନ ବ୍ୟବସ୍ଥାକୁ ସରଳ ଓ ତ୍ୱରାନ୍ୱିତ କରାଯିବ । ଧାର୍ଯ୍ୟ ଭଡ଼ାଠାରୁ ଯେଉଁଭଳି କୌଣସି ବସ୍ ଅଧିକ ଭଡ଼ା ନ ନିଅନ୍ତି ଏହା ସୁନିଶ୍ଚିତ କରିବାକୁ ପରିବହନ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସବୁ ବସରେ ଭଡ଼ା ଚାର୍ଟ ରହିବ । ବିପଜ୍ଜନକ ଯାତ୍ରା ରୋକିବାକୁ ଓଭରଲୋଡ୍ ଓ ଓଭରସ୍ପିଡ୍ ବିରୋଧରେ ବ୍ୟାପକ ଏନଫୋର୍ସମେଣ୍ଟ କରାଯିବ ।
ସେହିଭଳି ଅଟୋ ଭଡ଼ାରେ ବି ଯେଉଁଭଳି ଯାତ୍ରୀଙ୍କୁ ଶୋଷଣ ନ ହୁଏ ଏଥିପାଇଁ ଦୃଷ୍ଟି ଦିଆଯିବ । ଚଳିତବର୍ଷ, ପୁରୀର ସମସ୍ତ ପାର୍କିଂ ସ୍ଥଳରୁ ନିର୍ଦ୍ଧାରିତ ସ୍ଥାନ ଯାଏଁ ନିଃଶୁଳ୍କ ଅଟୋ ସେବା ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ପ୍ରଦାନ କରାଯିବ । ଏହାସହ ମାଳତୀପାଟପୁରରୁ ନିଃଶୁଳ୍କ ସଟଲ୍ ସେବା ପ୍ରଦାନ କରିବାକୁ ନିଷ୍ପତ୍ତି ଗ୍ରହଣ ହୋଇଛି । ତାଳବଣିଆରେ ସମସ୍ତ ମୌଳିକ ସୁବିଧା ଥାଇ ଅସ୍ଥାୟୀ ବିଶ୍ରାମାଗାର, ରଥଯାତ୍ରା ଓ ବାହୁଡ଼ାରେ ନିଃଶୁଳ୍କ ରନ୍ଧାଖାଦ୍ୟ ବିତରଣ, ପାନୀୟ ଜଳ, ପ୍ରାଥମିକ ଚିକିତ୍ସା ଆଦିର ସୁବନ୍ଦୋବସ୍ତ କରାଯିବ । ଯାତ୍ରୀଙ୍କ ସୁବିଧା ପାଇଁ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ହେବ ଏବଂ ସୁରକ୍ଷା ଦୃଷ୍ଟିରୁ ପ୍ରବେଶ ଓ ପ୍ରସ୍ଥାନରେ ସିସିଟିଭି ଲଗାଯିବ ।