Spread the love

ଢେଙ୍କାନାଳ: ବିବାହ ଉତ୍ସବର ଖୁସି ମୁହୂର୍ତ୍ତ ମଧ୍ୟରେ ଘଟିଛି ଅଘଟଣ। ବରଯାତ୍ରୀ ଦଳ କନ୍ୟା ଘରକୁ ଯାଉଥିବା ବେଳେ ବଜ୍ରପାତରେ ଜଣେ ବରଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।ସୂଚନା ଅନୁଯାୟୀ, ଢେଙ୍କାନାଳ ସଦର ବ୍ଲକ୍‌ ଅନ୍ତର୍ଗତ ଭାପୁର ଅଞ୍ଚଳର ଚନ୍ଦ୍ରଶେଖର ପ୍ରସାଦ ଗାଁରୁ ବର ଓ ବରଯାତ୍ରୀ ଦଳ ରଞ୍ଜା ଗାଁସ୍ଥିତ କନ୍ୟା ଘରକୁ ଯାଉଥିଲେ। କନ୍ୟା ଘରଠାରୁ ଅଳ୍ପ ଦୂରରେ ଥିବାବେଳେ ହଠାତ୍ ବର୍ଷା ସହ ପ୍ରବଳ ଘଡ଼ଘଡ଼ି ଆରମ୍ଭ ହୋଇଥିଲା। ଏହି ସମୟରେ ତିନିଜଣ ବରଯାତ୍ରୀ ରଞ୍ଜା ଗାଁ ନିକଟରେ ଏକ ଗଛ ତଳେ ଆଶ୍ରୟ ନେଇଥିଲେ। କିନ୍ତୁ ହଠାତ୍ ବଜ୍ରପାତ ଘଟିବାରୁ ସେମାନେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।ସେଠାରେ ଡାକ୍ତର କୋଇଲିପଙ୍ଗି ଗାଁର ୫୨ ବର୍ଷୀୟ ଅମିନ ବେହେରାଙ୍କୁ ମୃତ ଘୋଷଣା କରିଥିଲେ। ଆହତ ତପନ ଜେନା ଓ ମନୋଜ ଦେହୁରୀଙ୍କ ଚିକିତ୍ସା ଚାଲିଥିବାବେଳେ ଗୁରୁତର ଅବସ୍ଥାରେ ଥିବା ମନୋଜ ଦେହୁରୀଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି।ଏହି ଅଘଟଣ ପରେ ବିବାହ ଘରର ଖୁସିର ପରିବେଶ ଶୋକରେ ପରିଣତ ହୋଇଛି। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *