Spread the love

ନୀଳଗିରି:ମୋବାଇଲ ଫୋନକୁ କେନ୍ଦ୍ର କରି ବାଲେଶ୍ୱର ଜିଲ୍ଲାର ରାଜ ବରହମପୁର ଥାନା ଅନ୍ତର୍ଗତ ଗଗପାଳ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ପରିବାର ଲୋକେ ମୋବାଇଲ ଛଡ଼ାଇ ନେବା ପରେ ଜଣେ ୧୫ ବର୍ଷୀୟା ନାବାଳିକା କୀଟନାଶକ ପିଇ ଦେଇଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।ମୃତ ନାବାଳିକା ହେଲେ ଗଗପାଳ ଗ୍ରାମର ଦୁର୍ଗା ନାଏକଙ୍କ ଝିଅ ରୁନୁ ନାଏକ (୧୫)। ସୂଚନା ଅନୁସାରେ, ଗୁରୁବାର ସକାଳେ ରୁନୁ ଘରେ ବସି ମୋବାଇଲ ବ୍ୟବହାର କରୁଥିଲେ। ଏହି ସମୟରେ ତାଙ୍କ ମା’ ଓ ମାମୁଁ ମୋବାଇଲଟି ନେବାକୁ ଚେଷ୍ଟା କରିଥିଲେ। ରୁନୁ ବାରମ୍ବାର ମୋବାଇଲ ବ୍ୟବହାର କରୁଥିବାରୁ ତାଙ୍କ ବାପା ମାମୁଁଙ୍କୁ ମୋବାଇଲ ନେଇଯିବାକୁ କହିଥିଲେ।ତେବେ ରୁନୁ ମୋବାଇଲ ନଦେବାରୁ ପରିବାର ଲୋକେ ତାଙ୍କଠାରୁ ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଇଥିବା ଜଣାପଡ଼ିଛି।

ଏଥିରେ ରାଗିଯାଇ ରୁନୁ ବିଷ ପିଇଦେବେ ବୋଲି କହିବା ସହ ଘର ଭିତରକୁ ଯାଇ କବାଟ ବନ୍ଦ କରିଦେଇଥିଲେ। ପରେ ଘରେ ଥିବା କୀଟନାଶକ ପିଇ ଦେଇଥିଲେ।ଘଟଣା ଜାଣିବା ପରେ ପରିବାର ଲୋକେ କବାଟ ଭାଙ୍ଗି ରୁନୁଙ୍କୁ ଉଦଳା ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା।ଖବର ପାଇ ରାଜ ବରହମପୁର ଥାନା ପୋଲିସ ହସ୍ପିଟାଲରେ ପହଞ୍ଚି ମୃତଦେହକୁ ଜବତ କରିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର ପ୍ରକୃତ କାରଣ ଓ ସମସ୍ତ ପରିସ୍ଥିତିକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *