Spread the love

କୋଣାର୍କ: ପୁରୀ ଜିଲ୍ଲାର ଚନ୍ଦ୍ରଭାଗା ବଜାରରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଏକ ସଂଘବଦ୍ଧ ଆକ୍ରମଣ। ପ୍ରାୟ ୧୫ ଜଣ ଅଜଣା ଯୁବକଙ୍କ ଆକ୍ରମଣରେ ଦୁଇ ଭାଇ ଗୁରୁତର ଆହତ ହୋଇଥିବା ବେଳେ କୋଣାର୍କ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ରଶ୍ମିରଞ୍ଜନ ବେହୁରା, ତାଙ୍କ ସାନଭାଇ କମଳ ଲୋଚନ ବେହୁରା ଓ ଅନ୍ୟ ଚାରିଜଣ ନାଗପୁରରେ ରେ ଜଣେ ସମ୍ପର୍କୀୟଙ୍କ ବିବାହ ଭୋଜିରେ ଯୋଗଦେଇ ଏକ କାରରେ ଘରକୁ ଫେରୁଥିଲେ। ରାତିରେ ଚନ୍ଦ୍ରଭାଗା ବଜାରରେ କାର ଅଟକାଇ ରଶ୍ମିରଞ୍ଜନ ପରିସ୍ରା କରିବାକୁ ଯାଇଥିବା ବେଳେ, ପୂର୍ବରୁ ଦୁଇଟି କାରରେ ଆସିଥିବା ପ୍ରାୟ ୧୫ ଜଣ ଅଜଣା ଯୁବକ ତାଙ୍କ ସହ ଯୁକ୍ତିତର୍କ କରି ହଠାତ୍ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ।ରଶ୍ମିରଞ୍ଜନଙ୍କୁ ବଞ୍ଚାଇବାକୁ ଯାଇଥିବା ତାଙ୍କ ସାନଭାଇ କମଳ ଲୋଚନଙ୍କ ଉପରେ ମଧ୍ୟ ଦୁର୍ବୃତ୍ତମାନେ ଲୁହା ରଡରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ରଶ୍ମିରଞ୍ଜନଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିବା ବେଳେ କମଳ ଲୋଚନ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

ଅଭିଯୋଗ ଅନୁଯାୟୀ, ଆକ୍ରମଣକାରୀମାନେ ସେମାନଙ୍କ ଠାରୁ ୫ ହଜାର ଟଙ୍କା ଛଡ଼ାଇ ନେବା ସହ କମଳ ଲୋଚନଙ୍କ ମୋବାଇଲ ଫୋନ ଭାଙ୍ଗି ଦୁଇଟି କାରରେ ପୁରୀ ଅଭିମୁଖେ ଫେରାର ହୋଇଯାଇଥିଲେ। ଏନେଇ ରଶ୍ମିରଞ୍ଜନ ବେହୁରା କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଗୁରୁତର ଆହତ କମଳ ଲୋଚନଙ୍କୁ ପ୍ରଥମେ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପରେ ପୁରୀ ମୁଖ୍ୟ ଚିକିତ୍ସାଳୟ ଏବଂ ଶେଷରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି।ଏହି ଘଟଣାରେ କୋଣାର୍କ ଥାନାରେ ମାମଲା ରୁଜୁ କରାଯାଇ ପୋଲିସ ତଦନ୍ତ ଆରମ୍ଭ କରିଛି। ସେପଟେ ସ୍ଥାନୀୟ ଲୋକଙ୍କ ଅଭିଯୋଗ, ଚନ୍ଦ୍ରଭାଗା ଅଞ୍ଚଳରେ ପୋଲିସ ପାଟ୍ରୋଲିଂ ଅପର୍ଯ୍ୟାପ୍ତ ରହିବା ଏବଂ ସିସିଟିଭି କ୍ୟାମେରାର ଅଭାବ ଯୋଗୁଁ ବିଭିନ୍ନ ସମୟରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଏହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଳରେ ଉଦ୍ବେଗ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *