Spread the love

ନୂଆଦିଲ୍ଲୀ: ମିଡିଲ୍ ଇଷ୍ଟରେ ଭାରତର ମହାଡିଲ୍! ମୁସିଲିମ୍ ଦେଶର ଢାଲ ସାଜିବ ବ୍ରହ୍ମୋସ୍ ଏବଂ ଆକାଶତୀର! ବଦଳିଯିବ ଖାଡ଼ି ଅଞ୍ଚଳର ସୁରକ୍ଷା ଚିତ୍ର! ମଧ୍ୟ ପୂର୍ବରେ ଇରାନ-ଇସ୍ରାଏଲ-ଆମେରିକା ସଂଘର୍ଷ ପରେ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଥିବା ବେଳେ, ଭାରତ ପାଇଁ ଆସିପାରେ ଏକ ବଡ଼ କୂଟନୈତିକ ଓ ସାମରିକ ସଫଳତା। ଚର୍ଚ୍ଚା ହେଉଛି ଯେ, ସଂଯୁକ୍ତ ଆରବ ଏମିରେଟ୍ସ (UAE) ଭାରତର ଦୁଇଟି ଅତ୍ୟାଧୁନିକ ଅସ୍ତ୍ର ପ୍ରଣାଳୀ ‘ବ୍ରହ୍ମୋସ’ ସୁପରସୋନିକ୍ କ୍ରୁଜ୍ ମିସାଇଲ୍ ଓ ‘ଆକାଶତୀର’ ଏୟାର ଡିଫେନ୍ସ ସିଷ୍ଟମ୍ କିଣିବାକୁ ବଡ ଆଗ୍ରହ ଦେଖାଇଛି।

ରିପୋର୍ଟ ଅନୁଯାୟୀ, ଦୁଇ ଦେଶ ମଧ୍ୟରେ ଏହି ଚର୍ଚ୍ଚା ବର୍ତ୍ତମାନ ପ୍ରାରମ୍ଭିକ ପର୍ଯ୍ୟାୟରେ ଥିଲେ ମଧ୍ୟ ଖୁବ୍ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଯଦି ଏହି ଚୁକ୍ତି ସଫଳ ହୁଏ, ତେବେ ଏହା କେବଳ ଭାରତର ରକ୍ଷା ରପ୍ତାନିକୁ ନୂଆ ଉଚ୍ଚତାକୁ ନେବ ତାହା ନୁହେଁ, ବରଂ ମିଡିଲ୍ ଇଷ୍ଟର ସାମରିକ ସମୀକରଣକୁ ମଧ୍ୟ ବଦଳାଇ ଦେଇପାରେ।

ସମ୍ପ୍ରତି ଇରାନ ଓ ଇସ୍ରାଏଲ ମଧ୍ୟରେ ବଢ଼ିଥିବା ତିକ୍ତତା ଏବଂ ମିସାଇଲ୍-ଡ୍ରୋନ୍ ଆକ୍ରମଣର ଆଶଙ୍କା UAEକୁ ନିଜ ସୁରକ୍ଷା ବ୍ୟବସ୍ଥା ନେଇ ପୁଣିଥରେ ଚିନ୍ତା କରିବାକୁ ବାଧ୍ୟ କରିଛି। ବିଶେଷ କରି ହର୍ମୁଜ୍ ପ୍ରଣାଳୀ (Strait of Hormuz) ର ସୁରକ୍ଷା UAE ପାଇଁ ସର୍ବୋଚ୍ଚ ପ୍ରାଥମିକତା ହୋଇଯାଇଛି, କାରଣ ଏହି ରଣନୀତିକ ଜଳପଥ ଦେଇ ତାହାର ତୈଳ ଓ ଗ୍ୟାସ୍ ରପ୍ତାନିର ବଡ଼ ଅଂଶ ବିଶ୍ୱ ବଜାରରେ ପହଞ୍ଚେ।

ଏହି ପରିସ୍ଥିତିରେ ଆବୁଧାବି ଆଉ କୌଣସି ଗୋଟିଏ ଦେଶ ଉପରେ ନିର୍ଭର ନ ରହି ବିଭିନ୍ନ ଦେଶରୁ ଆଧୁନିକ ଅସ୍ତ୍ର କିଣିବା ନୀତି ଆପଣାଇଛି । ଆଉ ଏଇଠି ହିଁ ଭାରତର ଏଣ୍ଟ୍ରି UAE ପାଇଁ ଗେମ୍-ଚେଞ୍ଜର୍ ସାବ୍ୟସ୍ତ ହୋଇପାରେ। ଅପରେସନ ସିନ୍ଦୂରରେ ପାକିସ୍ତାନରେ ନିଜର ପରାକ୍ରମ ଦେଖାଇବା ପରେ ଏବେ ମୁସଲିମ୍ ଦେଶ ବ୍ରହ୍ମୋସକୁ ଭରସା କରିଛନ୍ତି ।

ଭାରତ-ରୁଷ ମିଳିତ ଉଦ୍ୟମରେ ତିଆରି ହୋଇଥିବା ବ୍ରହ୍ମୋସ ବିଶ୍ୱର ସବୁଠାରୁ ଦ୍ରୁତଗତି ସୁପରସୋନିକ୍ କ୍ରୁଜ୍ ମିସାଇଲ୍‌ମାନଙ୍କ ମଧ୍ୟରୁ ଗୋଟିଏ। ଭୂମି, ସମୁଦ୍ର ଓ ଆକାଶ-ତିନୋଟି ପ୍ଲାଟଫର୍ମରୁ ଏହାକୁ ମୁତୟନ କରାଯାଇପାରେ। ଏହାର ଅତ୍ୟଧିକ ବେଗ ଓ ସଠିକ୍ ଲକ୍ଷ୍ୟଭେଦ କ୍ଷମତା ଯେକୌଣସି ଶତ୍ରୁ ପାଇଁ ବଡ଼ ଚ୍ୟାଲେଞ୍ଜ୍ ସୃଷ୍ଟି କରେ। ଯାହା ଏହାକୁ ବିଶ୍ବ ମଞ୍ଚରେ ଚାହିଦାଯୁକ୍ତ ବନାଇଛି ।

ସେହିପରି ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (BEL) ଦ୍ୱାରା ବିକଶିତ ‘ଆକାଶତୀର’ ହେଉଛି ଏକ ଅତ୍ୟାଧୁନିକ ସ୍ୱୟଂଚାଳିତ ଏୟାର ଡିଫେନ୍ସ କମାଣ୍ଡ ଓ କଣ୍ଟ୍ରୋଲ୍ ସିଷ୍ଟମ୍। ଯୁଦ୍ଧକ୍ଷେତ୍ରରେ ବିଭିନ୍ନ ସେନ୍ସର ଓ ଅସ୍ତ୍ରରୁ ଆସୁଥିବା ସୂଚନାକୁ ରିଅଲ୍-ଟାଇମ୍‌ରେ ବିଶ୍ଳେଷଣ କରି ଏହା ଶତ୍ରୁ ଡ୍ରୋନ୍ ଓ ମିସାଇଲ୍‌କୁ ଚିହ୍ନଟ କରି ଧ୍ୱଂସ କରିବାରେ ସକ୍ଷମ।

ଗତ କିଛି ବର୍ଷ ଧରି ‘ମେକ୍ ଇନ୍ ଇଣ୍ଡିଆ’ ଓ ସ୍ୱଦେଶୀ ରକ୍ଷା ଉତ୍ପାଦନ ଉପରେ ଜୋର ଦେବା ଫଳରେ ଭାରତର ରକ୍ଷା ରପ୍ତାନି ରେକର୍ଡ ସ୍ତରକୁ ପହଞ୍ଚିଛି। ଫିଲିପାଇନ୍ସ, ଭିଏତନାମ ଓ ଇଣ୍ଡୋନେସିଆ ପରେ ଏବେ UAE ମଧ୍ୟ ଯଦି ବ୍ରହ୍ମୋସ ଓ ଆକାଶତୀର କିଣେ, ତେବେ ଏହା ଭାରତର ପ୍ରତିରକ୍ଷା ଶକ୍ତି ଓ ବିଶ୍ୱସ୍ତରୀୟ ପ୍ରଭାବକୁ ଆହୁରି ମଜବୁତ କରିଦେବ। ମିଡିଲ୍ ଇଷ୍ଟର ଆକାଶରେ ଏବେ ଭାରତୀୟ ପ୍ରଯୁକ୍ତିର ଗର୍ଜନ ଶୁଣିବାକୁ ମିଳିପାରେ। UAE ସହ ଏହି ସମ୍ଭାବ୍ୟ ମହାଡିଲ୍ କେବଳ ଅସ୍ତ୍ର ବିକ୍ରି ନୁହେଁ, ବରଂ ବିଶ୍ୱ ରକ୍ଷା ବଜାରରେ ଭାରତର ବଢ଼ୁଥିବା ପ୍ରଭାବର ଆଉ ଏକ ଶକ୍ତିଶାଳୀ ସନ୍ଦେଶ।

Leave a Reply

Your email address will not be published. Required fields are marked *