Spread the love

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ମହାଡ୍ରାମା। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି)କୁ ବଡ଼ ଝଟ୍‌କା ଲାଗିଛି। ଡେପୁଟି ସିଏମ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନାକୁ ଦଳର ୬ ଜଣ ସାଂସଦ ସମର୍ଥନ ଜଣାଇଛନ୍ତି। ଏକନାଥ ସିନ୍ଦେରେ ଯୋଗଦେବାକୁ ଥିବା ସାଂସଦମାନଙ୍କ ମଧ୍ୟରେ ସଞ୍ଜୟ ଯାଦବ, ସଞ୍ଜୟ ଦେଶମୁଖ, ନାଗେଶ ପାଟିଲ ଅଷ୍ଟିକର, ଓମ୍ରାଜେ ନିମ୍ବଲକର, ଭାଉସାହେବ ଭାକଚୌରେ ଏବଂ ସଞ୍ଜୟ ଦିନା ପାଟିଲ ଅଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଶିବସେନା (UBT)ର ସାଂସଦ ଏବଂ ନେତା ସଞ୍ଜୟ ରାଉତ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି, ଏହି ସମ୍ଭାବ୍ୟ ବିଭାଜନକୁ ରୋକିବା ପାଇଁ ଚେଷ୍ଟା କରୁଛନ୍ତି। ଏହି ସମୟରେ, ସେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ତାଙ୍କର ବୟାନ ଅନୁଯାୟୀ ଏକ ବଡ଼ ରାଜନୈତିକ ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛି ବୋଲି ଆକଳନ କରିଛି।

୨୦୨୨ରେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନାର ଗୋଟିଏ ଗୋଷ୍ଠୀ ଦଳରୁ ବାହାରିଯିବାରୁ ମହାରାଷ୍ଟ୍ରର ରାଜନୈତିକ ସମୀକରଣ ବଦଳିଯାଇଥିଲା। ଏବେ ଶିବସେନା(ୟୁବିଟି)ରୁ ସାଂସଦମାନଙ୍କୁ ଅନ୍ୟ ଦଳକୁ ନେଇଯିବା ପାଇଁ ଉଦ୍ୟମ ଚାଲିଥିବାବେଳେ ଏକନାଥ ସିନ୍ଦେଙ୍କ ନେତୃତ୍ୱ ଉପରେ ବିଶ୍ୱାସ ରଖୁଥିବା ଯେକୌଣସି ବ୍ୟକ୍ତିଙ୍କ ପାଇଁ ଦଳର ଦ୍ୱାର ଖୋଲା ରହିଛି ବୋଲି ମଙ୍ଗଳବାର ଶିବସେନା ନେତା ପ୍ରତାପ ସରନାଏକ କହିଛନ୍ତି।

ଶିବସେନା(ୟୁବିଟି) ଏମ୍‌ପି ସଞ୍ଜୟ ଦେଶମୁଖ ସୋମବାର କେନ୍ଦ୍ରମନ୍ତ୍ରୀ ତଥା ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାର ନେତା ପ୍ରତାପରାଓ ଯାଦବଙ୍କୁ ଭେଟିଥିଲେ। ଏହାର ଦିନକ ପୂର୍ବରୁ ଉଦ୍ଧବ ଡାକିଥିବା ବୈଠକରେ ଶିବସେନା (ୟୁବିଟି)ର ୯ ଜଣ ଲୋକ ସଭା ସଦସ୍ୟଙ୍କ ମଧ୍ୟରୁ ମାତ୍ର ୪ ଜଣ ଯୋଗ ଦେଇଥିଲେ। ଯେଉଁମାନେ ଶିବସେନାର ପ୍ରତିଷ୍ଠାତା ବାଲ୍‌ ଠାକ୍‌ରେଙ୍କ ଆଦର୍ଶ ଏବଂ ଉପମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କ ନେତୃତ୍ୱ ଉପରେ ବିଶ୍ୱାସ କରନ୍ତି, ସେମାନଙ୍କୁ ଦଳରେ ସ୍ବାଗତ କରାଯିବ। ଆଗାମୀ ଦିନରେ ଯଦି ସେମାନେ ଏକନାଥ ସିନ୍ଦେଙ୍କ ଦଳରେ ସାମିଲ ହେବାକୁ ଚାହାନ୍ତି, ତେବେ ସେମାନଙ୍କୁ ପ୍ରାଥମିକତା ଦିଆଯିବ ବୋଲି ସରନାଏକ କହିଛନ୍ତି।

ଯେତେବେଳେ ଆମ ଦିନ ଆସିବ, ଦଳ କିପରି ଭାଙ୍ଗେ, ତାହା ଦେଖାଇଦେବୁ ବୋଲି ଦଳ ଭାଙ୍ଗିବା ଚର୍ଚ୍ଚାକୁ ନେଇ ଶିବସେନା(ୟୁବିଟି) ନେତା ସଞ୍ଜୟ ରାଉତ କହିଛନ୍ତି। ଦଳର କେତେଜଣ ଲୋକ ସଭା ସଦସ୍ୟ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ଯିବା କଳ୍ପନାଜଳ୍ପନାକୁ ରାଉତ ଖଣ୍ଡନ କରିଛନ୍ତି। ଦଳରେ ଏବେ କୌଣସି ସଙ୍କଟ ନାହିଁ। ଯଦି କୌଣସି ସଙ୍କଟ ଆସେ ତାହାର ସମାଧାନ କରାଯିବ ବୋଲି ପାର୍ଲାମେଣ୍ଟ ହାଉସ୍‌ କମ୍ପ୍ଲେକ୍ସଠାରେ ରାଉତ ମିଡିଆକୁ କହିଛନ୍ତି।

 

Leave a Reply

Your email address will not be published. Required fields are marked *