Spread the love

ଆମେରିକା : ହୁ ହୁ ହୋଇ କମୁଛି ତେଲ ଦର । ଆମେରିକା ଓ ଇରାନ ମଧ୍ୟରେ ସାମରିକ ତିକ୍ତତା କମିବା ପାଇଁ ହୋଇଥିବା ଚୁକ୍ତିନାମା ପରେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦରରେ ବଡ଼ ହ୍ରାସ ରେକର୍ଡ ହୋଇଛି । ହର୍ମୁଜ ପ୍ରଣାଳୀ ଉପରୁ ପ୍ରତିବନ୍ଧକ ହଟିବା ଓ ଜାହାଜ ଚଳାଚଳ ସ୍ଵାଭାବିକ ହେବା ଖବର ଆସିବା ପରେ ଅଶୋଧିତ ତେଲ ଦର ଗତ କିଛି ମାସର ସବୁଠାରୁ ସର୍ବନିମ୍ନ ସ୍ତରକୁ ଚାଲିଆସିଛି। ବ୍ରେଣ୍ଟ କ୍ରୁଡ୍ ବ୍ୟାରେଲ ପିଛା ପ୍ରାୟ ୭ ହଜାର ୯୬୦ ରୁ ୭ ହଜାର ୯୯୦ଟଙ୍କା ମଧ୍ୟରେ କାରବାର କରୁଛି। ଗୋଟିଏ ଦିନରେ ପ୍ରାୟ ୩.୫% ରୁ ୪% ର ହ୍ରାସ ପାଇଛି । ସେହିପରି WTI Crude ପ୍ରାୟ ୭ ହଜାର ୬୭୩ ଟଙ୍କା କୁ ଖସି ଆସିଛି । ଦିନକରେ ୪.୭ ପ୍ରତିଶତ ହ୍ରାସ ପାଇଛି। ତେଲ ଦର କମିବାର ମୁଖ୍ୟ କାରଣ ଉପରେ ନଜର ପକାଇବା। ମୁଖ୍ୟ କାରଣ ହେଲା ହର୍ମୁଜ ପ୍ରଣାଳୀରୁ ମାଇନ୍ସ ହଟିବା । ବିଶ୍ୱର ପ୍ରାୟ ୨୦% ତେଲ ପରିବହନ ହର୍ମୁଜ ମାର୍ଗ ଦେଇ ହୋଇଥାଏ। ଯାହା ଗତ ଫେବୃଆରୀରୁ ବନ୍ଦ ଥିଲା। ଏବେ ଏହା ସମ୍ପୂର୍ଣ୍ଣ ସ୍ଵାଭାବିକ ହେବାକୁ ଯାଉଛି।

ସେହିପରି ଆଗକୁ ଇରାନରୁ ତେଲ ରପ୍ତାନି ବଢ଼ିବ। ବୁଝାମଣା ପରେ ଆମେରିକା ଦ୍ୱାରା ଇରାନର ଜବତ ହୋଇଥିବା ପ୍ରାୟ ୨.୩୭ ଲକ୍ଷ କୋଟି ବା ୨୫ ବିଲିୟନ ଡଲାର ସମ୍ପତ୍ତି ଫେରସ୍ତ କରାଯିବା ନେଇ ଚର୍ଚ୍ଚା ଚାଲିଛି। ୬୦ ଦିନର ଆଲୋଚନା ଚକ୍ର ମଧ୍ୟରେ ଯୁଦ୍ଧର ଆଶଙ୍କା ଟଳିଯିବା ପରେ ବ୍ୟବସାୟୀ ଓ ନିବେଶକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଏପଟେ ଅଶୋଧିତ ତେଲ ଦର କମିବା ଦ୍ୱାରା ବିଶ୍ୱ ବଜାରରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ଆସିବ । ଫଳରେ ଆଗକୁ ଭାରତୀୟ ବଜାରରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର କମିବାର ସମ୍ଭାବନା ସୃଷ୍ଟି ହୋଇଛି । ଯାହା ସାଧାରଣ ଗ୍ରାହକଙ୍କ ପକେଟ୍ କୁ ବଡ଼ ଆଶ୍ଵସ୍ତି ଦେବ । ଯଦିଓ ବଜାର ଖବରକୁ ବେଶ୍ ପସନ୍ଦ କରିଛି। ତଥାପି ସମୁଦ୍ର ମାର୍ଗରୁ ସମ୍ପୂର୍ଣ୍ଣ ଭାବେ ସାମରିକ ପ୍ରତିବନ୍ଧକ ଓ ବିସ୍ଫୋରକ ହଟାଇବାକୁ କିଛି ସପ୍ତାହ ସମୟ ଲାଗିପାରେ । ଏହା ସହିତ ଇସ୍ରାଏଲର ପରବର୍ତ୍ତୀ ପଦକ୍ଷେପ କଣ ହେବ, ତାହା ଉପରେ ମଧ୍ୟ ବଜାରର ନଜର ରହିଛି ।

Leave a Reply

Your email address will not be published. Required fields are marked *