Spread the love

ଶ୍ରୀନଗର: ଜାମ୍ମୁ-କାଶ୍ମୀରର କୁପୱାରା ଜିଲାରୁ ଶନିବାର ସେନା ଓ ପୁଲିସ ମିଳିତ ଅଭିଯାନ ଚଲାଇ ଜଣେ ପାକିସ୍ତାନ ନାଗରିକଙ୍କୁ ଅଟକ ରଖିଛନ୍ତି। ସୀମା ଅତିକ୍ରମ କରି ଜଣେ ପାକିସ୍ତାନ ନାଗରିକ ଜାମ୍ମୁ-କାଶ୍ମୀରରେ ପ୍ରବେଶ କରିଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ମିଳିବା ପରେ ସେନା ଓ ପୁଲିସ ତରଫରୁ ‘ଅପରେସନ ସିମରି’ ନାମରେ ଏକ ଅଭିଯାନ ଆରମ୍ଭ ହୋଇଥିଲା। ସେନା ଓ ପୁଲିସ ବିଭିନ୍ନ ଅଞ୍ଚଳରେ ଖାନତଲାସି କରି ସଂପୃକ୍ତ ପାକିସ୍ତାନୀ ନାଗରିକଙ୍କୁ ସିମରି ଗାଁରୁ ଧରି ଅଟକ ରଖିଛନ୍ତି। ଅଟକ ପାକିସ୍ତାନ ନାଗରିକଙ୍କୁ ପଚରାଉଚରା ଜାରି ରଖିଥିବା ବେଳେ କେଉଁ ପରିସ୍ଥିତିରେ ସେ ସୀମା ଡେଇଁ ଭାରତକୁ ପ୍ରବେଶ କଲେ ସେ ସମ୍ପର୍କରେ ତଦନ୍ତ ଜାରି ରହିଛି। ସଂପୃକ୍ତ ବ୍ୟକ୍ତିଜଣକ ଭାରତ ମଧ୍ୟରେ ପ୍ରବେଶ କରିବା ନେଇ କୌଣସି ଆତଙ୍କବାଦୀ ସଂଗଠନର ହାତ ରହିଛି କି ନାହିଁ ସେ ନେଇ ତଥ୍ୟ ସଂଗ୍ରହ କରିବାକୁ ଉଦ୍ୟମ ଜାରି ରହିଛି।

ଅନ୍ୟପକ୍ଷରେ ଅମରନାଥ ଯାତ୍ରା ନିମନ୍ତେ ଜାମ୍ମୁ-କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଏକ ଉଚ୍ଚସ୍ତରୀୟ ବୈଠକରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଅମରନାଥ ଯାତ୍ରା ନିମନ୍ତେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ଅମିତ ଶାହା ନିର୍ଦେଶ ଦେଇଛନ୍ତି। କେନ୍ଦ୍ରୀୟ ପୁଲିସ ବାହିନୀ, ଜାମ୍ମୁ-କାଶ୍ମୀର ପୁଲିସ, ଭାରତୀୟ ସେନା ଓ ଆତଙ୍କବାଦ ନିରୋଧୀ ବାହିନୀର କର୍ମଚାରୀଙ୍କୁ ମୁତୟନ କରାଯିବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *