Spread the love

ଭୁବନେଶ୍ୱର : କେନ୍ଦ୍ରୀୟ ଡିଜି ପଦବୀ ଦୌଡ଼ରେ ଦୁଇ IPS । କେନ୍ଦ୍ରରେ ବଡ଼ ଦାୟିତ୍ୱ ପାଇବେ ଓଡ଼ିଶା କ୍ୟାଡରର ଦୁଇ ବରିଷ୍ଠ IPS । ଡିଜି ପାହ୍ୟା ପାଇଁ ସୁଧାଂଶୁ ଷଡ଼ଙ୍ଗୀ ଓ ପିଏସ ରଣପିସେ ଏମପାନେଲଡ । ଓଡ଼ିଶା କ୍ୟାଡରର ଦୁଇ ଜଣ ଦକ୍ଷ ତଥା ବରିଷ୍ଠ IPS ଅଫିସର କେନ୍ଦ୍ରୀୟ ସ୍ତରରେ ଏକ ବଡ଼ ସଫଳତା ହାସଲ କରିଛନ୍ତି । ୧୯୯୦ ବ୍ୟାଚ୍ ର ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀ ଏବଂ ୧୯୯୫ ବ୍ୟାଚ୍ ର ଆଇପିଏସ୍ ପଦ୍ମାକର ଏସ୍. ରଣପିସେଙ୍କୁ କେନ୍ଦ୍ର ସରକାରଙ୍କ ଡିଜି କିମ୍ବା ଡିଜି-ସମକକ୍ଷ ପଦବୀ ପାଇଁ ଏମ୍ପାନେଲ୍ ଡ କରାଯାଇଛି । ଦୁଇ ଅଫିସରଙ୍କ ଦୀର୍ଘ ଓ ନିଷ୍ଠାପର ସେବାକାଳ ମଧ୍ୟରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ୧୯୯୦ ବ୍ୟାଚ୍ ର ଆଇପିଏସ୍ ଅଫିସର ସୁଧାଂଶୁ ଷଡ଼ଙ୍ଗୀ ବର୍ତ୍ତମାନ ଓଡ଼ିଶାର ଅଗ୍ନିଶମ ସେବା ମହାନିର୍ଦ୍ଦେଶକ, ହୋମଗାର୍ଡ କମାଣ୍ଡାଣ୍ଟ ଜେନେରାଲ ଏବଂ ସିଭିଲ ଡିଫେନ୍ସର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି ।

ସେ ପୂର୍ବରୁ କଟକ-ଭୁବନେଶ୍ୱରର ପୋଲିସ କମିଶନର ଭାବେ ବେଶ୍ ସଫଳତାର ସହ କାର୍ଯ୍ୟ କରି ଲୋକପ୍ରିୟତା ଅର୍ଜନ କରିଥିଲେ। ପୋଲିସ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ଅନେକ ପୋଲିସ ପଦକରେ ସମ୍ମାନିତ ହୋଇଛନ୍ତି। ଏହାସହ ସେ ବ୍ରିଟେନର ଲିଭରପୁଲ୍ ବିଶ୍ୱବିଦ୍ୟାଳୟରୁ ସାଇକୋଲୋଜିରେ PhD ହାସଲ କରିଛନ୍ତି । ଡିଜିପି ୱାଇ.ବି. ଖୁରାନିଆଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଓଡ଼ିଶାର ପରବର୍ତ୍ତୀ DGP ପଦବୀ ପାଇଁ ସୁଧାଂଶୁ ଷଡ଼ଙ୍ଗୀଙ୍କ ନାଁ ସବୁଠାରୁ ଆଗରେ ଚାଲିଛି । ଏଭଳି ସ୍ଥିତିରେ କେନ୍ଦ୍ରୀୟ ଡିଜି ପଦବୀ ପାଇଁ ସେ ମନୋନୀତ ହେବା ତାଙ୍କ ନେତୃତ୍ୱର ଯୋଗ୍ୟତାକୁ ଆହୁରି ମଜବୁତ କରିଛି ।

ଅନ୍ୟପଟେ ୧୯୯୫ ବ୍ୟାଚ୍ ର ଆଇପିଏସ୍ ଅଫିସର ପଦ୍ମାକର ଏସ୍. ରଣପିସେ ବର୍ତ୍ତମାନ CISFରେ ଏଡିଜି ଭାବେ କାର୍ଯ୍ୟ କରୁଛନ୍ତି । କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ, ବିଶେଷ କରି CRPFରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅପରେସନ ଏବଂ ନେତୃତ୍ୱ ନେବାର ତାଙ୍କର ବ୍ୟାପକ ଅଭିଜ୍ଞତା ରହିଛି । ଓଡ଼ିଶାରେ ମଧ୍ୟ ସେ ଭିଜିଲାନ୍ସ ଏଡିଜିପି ଭାବେ ନିଜର ଦକ୍ଷତା ପ୍ରତିପାଦିତ କରିସାରିଛନ୍ତି । ଏମ.ଟେକ୍ ଶିକ୍ଷାଗତ ଯୋଗ୍ୟତା ସମ୍ପନ୍ନ ରଣପିସେଙ୍କୁ ତାଙ୍କର ଅନନ୍ୟ ସେବା ଏବଂ ଆନ୍ତରିକ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମଧ୍ୟ ପୋଲିସ ପଦକ ମିଳିଛି । କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ପ୍ରମୁଖ ପୋଲିସ ଓ ସୁରକ୍ଷା ସଂଗଠନ ଯଥା CISF, CRPF, BSF, ITBP ଏବଂ CBI ଭଳି ସଂସ୍ଥାର ସର୍ବୋଚ୍ଚ ପଦବୀ ପାଇଁ ବରିଷ୍ଠ ଆଇପିଏସ୍ ଅଫିସରମାନଙ୍କ ଯୋଗ୍ୟତା, ସେବା ରେକର୍ଡ, ସ୍ୱଚ୍ଛତା ଓ ନେତୃତ୍ୱକୁ ଆଧାର କରି ଏହି ଏମ୍ପାନେଲମେଣ୍ଟ ପ୍ରକ୍ରିୟା କରାଯାଇଥାଏ । ଏହି ନୂଆ ତାଲିକା ପରେ ସୁଧାଂଶୁ ଷଡ଼ଙ୍ଗୀଙ୍କ ପାଇଁ ଦୁଇଟିଯାକ ରାସ୍ତା ଖୋଲା ରହିଛି । ସେ କେନ୍ଦ୍ରରେ କୌଣସି ପ୍ରତିଷ୍ଠିତ ପଦବୀ ସମ୍ଭାଳିପାରନ୍ତି କିମ୍ବା ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ (DGP) ଦୌଡ଼ରେ ସବୁଠୁ ଶକ୍ତିଶାଳୀ ଦାବିଦାର ଭାବେ ଉଭା ହୋଇପାରନ୍ତି । ଅପରପକ୍ଷରେ, ପି.ଏସ୍. ରଣପିସେ କେନ୍ଦ୍ରୀୟ ସୁରକ୍ଷା ବ୍ୟବସ୍ଥାରେ ଆହୁରି ଉଚ୍ଚ ପଦବୀ ଓ ବଡ଼ ଦାୟିତ୍ୱ ପାଇବା ଏକପ୍ରକାର ନିଶ୍ଚିତ ବୋଲି ଜଣାପଡ଼ିଛି । ଓଡ଼ିଶା କ୍ୟାଡରର ଏହି ଦୁଇ ଦକ୍ଷ ଅଫିସରଙ୍କ ସଫଳତା ରାଜ୍ୟ ପାଇଁ ନିଶ୍ଚିତ ଭାବେ ଏକ ଗର୍ବର ବିଷୟ ।

Leave a Reply

Your email address will not be published. Required fields are marked *