ସୁନ୍ଦରଗଡ଼ : ଓଡ଼ିଶାରୁ ସିପିଆଇ ମାଓବାଦୀ ସଂଗଠନ ପ୍ରାୟତଃ ଲୋପପାଇଯାଇଛି, ଏହି କଥା ଗଲ ଏପ୍ରିଲ୍ ମାସରେ ସରକାର ଘୋଷଣା କରିଥିଲେ। ଏହା ସତ୍ବେ ଓଡ଼ିଶାର ଛତିଶଗଡ଼, ଝାଡ଼ଖଣ୍ଡ ସୀମାନ୍ତରେ ମାଓବାଦୀଙ୍କ ଏକାଧିକ ଡମ୍ପ୍ ଠାବ କରାଯାଉଥିବା ବେଳେ ସନ୍ଦିଗ୍ଧ ଗତିବିଧି ଲକ୍ଷ୍ୟ କରାଯାଉଛି। ଏହି କ୍ରମରେ, ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ଦେଓଭୁବନପୁର ପଞ୍ଚାୟତ ଜଙ୍ଗଲ ସୀମାନ୍ତ ଗାଁଗୁଡିକରେ କିଛି ସନ୍ଦିଗ୍ଧ ଯୁବକଙ୍କୁ ଲୋକେ ଦେଖିଥିବା କୁହାଯାଉଛି। ସେମାନେ ମାଓବାଦୀ ହୋଇପାରନ୍ତି ବୋଲି ଗାଁ ଲୋକଙ୍କ ସନ୍ଦେହ ହୋଇଛି।
ସ୍ଥାନୀୟ ଲୋକଙ୍କ ଠାରୁ ମିଳଥିବା ସୂଚନାନୁସାରେ, ଛତିଶଗଡ଼, ଝାଡ଼ଖଣ୍ଡ ଜଙ୍ଗଲରେ ମାଓଦମନ ଅଭିଯାନ ଜୋରଦାର ହୋଇଛି। ଅନେକ ମାଓବାଦୀ ଆତ୍ମସମର୍ପଣ କରିଥିବାବେଳେ ଆଉ କିଛି ମାଓବାଦୀ ଲୁଚି ଏ ଅଞ୍ଚଳକୁ ପଳାଇ ଆସିଥିବା ଅନୁମାନ କରାଯାଉଛି। ସୂଚନା ପାଇ କିଞ୍ଜିରକେଲା ପୁଲିସ ଗାଁକୁ ଯାଇ ଲୋକଙ୍କୁ ପଚରାଉଚରା କରିବା ସହ ତନାଘନା ଚଲାଇଛି।
କିଛି ଦିନ ତଳେ ମଧ୍ଯରାତ୍ରରେ ଦେଓଭୁବନପୁର ପଞ୍ଚାୟତ ଚିନୁଟୁଙ୍ଗୁରି, ବାଘଲତ୍ ଜଙ୍ଗଲ ସନ୍ନିକଟ ଗାଁ କଛାରଯୋରରେ ୨ ଜଣ ସନ୍ଦିଗ୍ଧଙ୍କୁ ଦେଖିବାକୁ ମିଳିଥିଲା। ଦ୍ରୁତଗତିରେ ଦୁହେଁ ଗାଁ ଭିତରେ ପଶି ଜଣକ ଘର ଆଗରେ କିଛି ସମୟ ଠିଆ ହୋଇ ଚାଲି ଯାଇଥିଲେ। ସେହି ରାତିରେ ଡଙ୍ଗରାମୁଣ୍ଡାରେ ମଧ୍ଯ ସେମାନଙ୍କୁ ଜଣେ ଯୁବକ ପରିଶ୍ରା କରିବାକୁ ବାହାରିଥିବା ବେଳେ ଦେଖି ଭୟରେ ଘରେ ପଶି ଯାଇଥିଲେ। ମଙ୍ଗଳବାର ରାତିରେ କଛାରଯୋରରେ ପୁଣି ୨ ଜଣଙ୍କୁ ଦେଖିଥିଲେ ଜଣେ ଯୁବକ। ସନ୍ଦିଗ୍ଧ ବ୍ଯକ୍ତିମାନେ ଏକ ଘର ଛାତ ଉପରେ ଚଢ଼ି କିଛି ସମୟ ବସିଥିଲେ। ପରେ ଓହ୍ଲାଇ ଜଙ୍ଗଲ.ଭିତରକୁ ଚାଲି ଯାଇଥିଲେ। ଗାଁ ଯୁବକ ଟର୍ଚ୍ଚ ଲାଇଟ୍ ପକାଇ ସେମାନଙ୍କୁ ଦେଖିଥିଲ। ସନ୍ଦିଗ୍ଧ ଯୁବକମାନେ କୋବ୍ରା ପୋଷାକ ପିନ୍ଧିଥିବାବେଳେ ପିଠିରେ ବଡ଼ ବ୍ଯାଗ୍ ବୋହିଥିଲେ ବୋଲି ଯୁବକ କହିଛନ୍ତି। ବାଘଲତା ଘଞ୍ଚ ଜଙ୍ଗଲ ହୋଇଥିବାରୁ ସେମାନେ ସେଠାରେ ଲୁଚିଥିବା କୁହାଯାଉଛି।
ଏ ଖବର ମିଳିବା ପରେ ବୁଧବାର ଅଞ୍ଚଳରେ ଡିଭିଏଫ୍ ପଇଁତରା ମାରିଥିବା ବେଳେ କିଞ୍ଜିରକେଲା ପୁଲିସ ଗାଁକୁ ଯାଇ ତଦନ୍ତ କରିଛି। ସୂଚନା ମିଳିବା ପରେ ଅଞ୍ଚଳକୁ ଯାଇ ସେମାନଙ୍କ ଖୋଜଖବର ନେଇଥିଲୁଁ, କିଛି ଜଣାପଡ଼ିନି ବୋଲି କହିଛି ପୁଲିସ।