ନୂଆଦିଲ୍ଲୀ : ଅଧିକ ଶିକ୍ଷିତ ପ୍ରାର୍ଥୀଙ୍କୁ କମ୍ ଯୋଗ୍ୟତାର ଚାକିରି ନିମନ୍ତେ ଅଯୋଗ୍ୟ ଘୋଷଣା କରାଯାଇ ପାରିବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରି ଦେଇଛନ୍ତି। ବେଳେବେଳେ ଅଧିକ ଶିକ୍ଷିତ ହେବା କୌଣସି ଏକ ନିର୍ଦିଷ୍ଟ ଚାକିରି ପାଇଁ ଅଯୋଗ୍ୟତା ପାଲଟି ଯାଇଥାଏ। ଦେଶରେ ବେକାରଙ୍କ ସଂଖ୍ୟା ବଢୁଥିବାବେଳେ ପିଏଚ୍ଡି ଧାରକଙ୍କ ସମେତ ଉଚ୍ଚ ଯୋଗ୍ୟତାସମ୍ପନ୍ନ ଯୁବବର୍ଗ ଗ୍ରୁପ୍ ଡି’ ସରକାରୀ ଚାକିରି ପାଇଁ ପ୍ରତିଯୋଗିତା କରୁଛନ୍ତି। ଏହି ସମୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରି କହିଛନ୍ତି ଯେ, ଯଦି ଜଣେ ବ୍ୟକ୍ତି କୌଣସି ଏକ ପଦ ପାଇଁ ଏକ ନିର୍ଦିଷ୍ଟ ସର୍ବାଧିକ ଯୋଗ୍ୟତାରୁ ଅଧିକ ଶିକ୍ଷାଗତ ଯୋଗ୍ୟତା ହାସଲ କରିଥାନ୍ତି, ତେବେ ତାଙ୍କୁ ଚାକିରି ପାଇଁ ଅଯୋଗ୍ୟ ଘୋଷିତ କରାଯାଇପାରିବ।
ଜଣେ ନିଯୁକ୍ତିଦାତାଙ୍କ କ୍ଷେତ୍ରରେ ଠିକ୍ ଲୋକଙ୍କୁ ଠିକ୍ ସ୍ଥାନରେ ନିଯୁକ୍ତି ଦେବାର ଆବଶ୍ୟକତା ସର୍ବଦା ଉଚ୍ଚ ଯୋଗ୍ୟତାସମ୍ପନ୍ନ ଲୋକଙ୍କୁ ବୁଝାଏ ନାହିଁ ବୋଲି ବିଚାରପତି ଅହସାନୁଦ୍ଦିନ୍ ଅମାନୁଲ୍ଲାହ ଏବଂ ଆର. ମହାଦେବନଙ୍କ ପୀଠ କହିଛନ୍ତି। ଏକ ପଦ ନିମନ୍ତେ ଯୋଗ୍ୟତା ପାଇଁ ଏକ ସୀମା ନିର୍ଦ୍ଧାରଣ କରିବା ତଥା ଉଚ୍ଚ ଡିଗ୍ରୀଧାରୀମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ସରକାରଙ୍କ ନିଷ୍ପତ୍ତିରେ କୌଣସି ଭୁଲ୍ ନାହିଁ। ପୀଠ କହିଛନ୍ତି, ଉଚ୍ଚ ଯୋଗ୍ୟତା ସୀମା ସ୍ଥିର କରିବା ଯୁକ୍ତିଯୁକ୍ତ ଏବଂ ନ୍ୟାୟପୂର୍ଣ୍ଣ। ଏହାର ଉଦ୍ଦେଶ୍ୟ ହେଉଛି ଯେଉଁମାନେ ଜୀବନର କୌଣସି ପ୍ରତିକୂଳ ପରିସ୍ଥିତି ଯୋଗୁଁଁ ଉଚ୍ଚଶିକ୍ଷା ହାସଲ କରିପାରି ନାହାନ୍ତି ସେମାନଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବା।
ଏକ ଆଦର୍ଶ ନିଯୁକ୍ତିଦାତା ଭାବେ ରାଜ୍ୟ ଏପରି ବ୍ୟକ୍ତିଙ୍କ ପାଇଁ କିଛି ବର୍ଗର ପଦ ସଂରକ୍ଷଣ କରିବାରେ ସମ୍ପୂର୍ଣ୍ଣ ଯଥାର୍ଥ, ଯାହା ଦ୍ବାରା ସେମାନଙ୍କୁ ଅଧିକ ଯୋଗ୍ୟତାସମ୍ପନ୍ନ ପ୍ରାର୍ଥୀଙ୍କ ସହ ପ୍ରତିଯୋଗିତା କରିବାକୁ ପଡ଼ିବ ନାହିଁ। ଯଦି ସେଭଳି ହେବ ତେବେ ସାଧାରଣତଃ ସେମାନେ ଚାକିରି ପାଇଁ ମନୋନୀତ ହେବା ସମ୍ଭାବନା ବହୁତ କମ୍ ରହିବ। ଯଦିଓ ଆମେ ପ୍ରତିବାଦୀଙ୍କ ପ୍ରତି ସହାନୁଭୂତି ପ୍ରକାଶ କରୁଛୁ। ତେବେ ଆଇନର ପ୍ରଣୟନ ସ୍ଥିତିକୁ ଦୃଷ୍ଟିରେ ରଖି ଆମ ପାଖରେ ବିବାଦିତ ରାୟରେ ହସ୍ତକ୍ଷେପ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ସୁପ୍ରିମକୋର୍ଟ ଏପରି ମନ୍ତବ୍ୟ ଦେବା ସହ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ବହିଷ୍କାର ଆଦେଶକୁ କାଏମ୍ ରଖିଛନ୍ତି। ବହିଷ୍କାରର କାରଣ ଥିଲା ଯେ, କର୍ମଚାରୀ ଜଣକ ଚାକିରିରେ ଯୋଗ ଦେବା ସମୟରେ ସ୍ନାତକ ପାସ୍ କରିଥିଲେ। ତେବେ ଚାକିରି ସର୍ତ୍ତାବଳୀ ଅନୁଯାୟୀ ପ୍ରାର୍ଥୀ ଅଷ୍ଟମ ଶ୍ରେଣୀ ପାସ୍ କରିବା ଆବଶ୍ୟକ ଥିଲା। ଏହା ସହିତ ଦର୍ଶାଯାଇଥିଲା ଯେ ପ୍ରାର୍ଥୀ ଦ୍ବାଦଶ ଶ୍ରେଣୀ ପାସ୍ କରି ନଥିବେ କିମ୍ବା କୌଣସି ଉଚ୍ଚ ଯୋଗ୍ୟତା ହାସଲ କରି ନଥିବେ। ଯାହା ସଂପୃକ୍ତ କର୍ମଚାରୀଙ୍କ କ୍ଷେତ୍ରରେ ନିଯୁକ୍ତି ସର୍ତ୍ତାବଳୀର ଉଲ୍ଲଙ୍ଘନ ବୋଲି ଅଭିଯୋଗ ହୋଇଥିଲା।