ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ମୁଜଫରନଗର ସ୍ଥିତ ଜିଲ୍ଲା ହସପିଟାଲରେ ଅଭାବନୀୟ ଘଟଣା । ଟଙ୍କା କେଇଟା ପାଇଁ ଡାକ୍ତର ସାଜିଲା ନରରାକ୍ଷସ । ବାକି ଟଙ୍କା ନମିଳିବାରୁ ଭାଙ୍ଗିଦେଲା ନୀରିହର ଗୋଡ଼ । ଯେଉଁ ହାତରେ ହାଡ଼ ଯୋଡ଼ିଥିଲେ, ସେହି ହାତରେ ପୁଣି ଭାଙ୍ଗିଦେଲେ ଡାକ୍ତର । ୧୪ ବର୍ଷୀୟା ମାନସିକ ଭିନ୍ନକ୍ଷମ ଝିଅକୁ ଧରି ଜଣେ ବିଧବା ଅସହାୟ ମା ଜିଲ୍ଲାପାଳଙ୍କ ନିକଟରେ ନ୍ୟାୟ ଭିକ୍ଷା କରିଛନ୍ତି । ଜିଲ୍ଲା ସ୍ଵାସ୍ଥ୍ୟକେନ୍ଦ୍ରରେ ମାଗଣା ଚିକିତ୍ସା ବଦଳରେ ଟଙ୍କା ଦାବି କରାଯାଉଥିବା ନେଇ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ଝିଅର ଚିକିତ୍ସା ସହ ଉକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।
ମହିଳାଙ୍କ ଅଭିଯୋଗ ଅନୁଯାୟୀ, ପ୍ରାୟ ଦେଢ ମାସ ତଳେ ଜିଲ୍ଲା ହସ୍ପିଟାଲରେ ତାଙ୍କ ଝିଅର ଡାହାଣ ଗୋଡ ଅପରେସନ ହୋଇଥିଲା । ଏଥିପାଇଁ ହସ୍ପିଟାଲ କର୍ମଚାରୀ ୨୫ ହଜାର ଟଙ୍କା ଦାବି କରିଥିଲେ । ମହିଳା ଜଣଙ୍କ ଟଙ୍କା ଦେବାକୁ ଅସମର୍ଥ ଥିବାରୁ ସେମାନେ ଚିକିତ୍ସା ପାଇଁ ମନା କରିଦେଇଥିଲେ ।
ମେଡିକାଲରୁ ନିରାଶ ହେବା ପରେ ରେଶମା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୁହାରୀ କରିଥିଲେ । ଏଥିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍ଓ) ହସ୍ତକ୍ଷେପ କରିବା ପରେ ମାଗଣା ଚିକିତ୍ସା ସେବା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ସତ୍ତ୍ୱେ ମେଡିକାଲ କର୍ମଚାରୀମାନେ ତାଙ୍କଠାରୁ ୮,୦୦୦ ଟଙ୍କା ନେଇଥିଲେ। ଅପରେସନ୍ ପରେ ବାକି ଟଙ୍କା ମାଗିଥିଲେ।
ରେଶମା ଟଙ୍କା ଦେବା ପାଇଁ ମନା କରିଥିଲେ । ଏହା ପରେ ଝିଅକୁ ମେଡ଼ିକାଲ୍ କର୍ମଚାରୀ ଡିସ୍ଚାର୍ଜ କରିଥିଲେ । କିଛି ଦିନ ପରେ ଚେକ୍ଅପ୍ ପାଇଁ ରେଶମା ଝିଅକୁ ଧରି ପୁଣି ଥରେ ମେଡିକାଲ୍ରେ ପହଞ୍ଚିଥିଲେ । ଅପରେସନ କରିଥିବା ଡାକ୍ତର ଚତୁର୍ବେଦୀ ଝିଅର ଆଣ୍ଠୁ ଯାଞ୍ଚ କରିଥିଲେ । ଚେକଅପ୍ ବେଳେ ଅପରେସନ କରିଥିବା ଡାକ୍ତର ଚତୁର୍ବେଦୀ ନାବାଳିକାର ଗୋଡ ଜୋର ଜବରଦସ୍ତି ମୋଡି ଦେଇଥିଲେ ।
ପରେ ଏକ୍ସରେ କରିବାରୁ ନାବାଳିକାଙ୍କ ହାଡ଼ ଭାଙ୍ଗିଥିବା ଜଣାପଡ଼ିଥିଲା । ଏହାପରେ ମହିଳା ଜଣଙ୍କ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା କେହି ଶୁଣିନଥିଲେ । ଶେଷରେ ସେ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି । ଏହି ଘଟଣାର ସବିଶେଷ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଏମଓରୁ ନିର୍ଦ୍ଦେଶ ଦିଆଯାଇଛି ।