କୁଏତ: ଉପସାଗରୀୟ ଅଞ୍ଚଳରେ ଚାଲିଥିବା ସାମରିକ ସଂଘର୍ଷ ଆଜି ପୁଣି ଭୀଷଣ ରୂପ ନେଇଛି| ଇରାନ ପକ୍ଷରୁ କୁଏତ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଟାର୍ଗେଟ କରି କରାଯାଇଥିବା କ୍ଷେପଣାସ୍ତ୍ର ଏବଂ ଆତ୍ମଘାତୀ ଡ୍ରୋନ୍ ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି। ଏହି ଅତର୍କିତ ତଥା ଭୀଷଣ ଆକ୍ରମଣରେ ବିମାନବନ୍ଦରର କର୍ମଚାରୀ, ସୁରକ୍ଷାକର୍ମୀ ଏବଂ ସାଧାରଣ ଯାତ୍ରୀଙ୍କୁ ମିଶାଇ ଅତିକମରେ ୬୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। କୁଏତରେ ଥିବା ଭାରତୀୟ ଦୂତାବାସ ଭାରତୀୟ ନାଗରିକଙ୍କ ମୃତ୍ୟୁକୁ ଆଧିକାରିକ ଭାବେ ସ୍ପଷ୍ଟ କରିଥିବା ବେଳେ ଭାରତର ବିଦେଶ ମନ୍ତ୍ରାଳୟ ଆକ୍ରମଣକୁ କଡ଼ା ନିନ୍ଦା କରିଛି। ଆକ୍ରମଣ ପରେ ସୁରକ୍ଷା ଦୃଷ୍ଟିରୁ ବିମାନବନ୍ଦରରେ ସମସ୍ତ ଉଡ଼ାଣ ସେବାକୁ ସାମୟିକ ଭାବେ ବନ୍ଦ କରାଯାଇଥିଲା ଏବଂ ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ‘କୁଏତ ଏୟାରୱେଜ୍’ ବିମାନ ଚଳାଚଳ ପୁଣି ଆରମ୍ଭ କରିଛି।