Spread the love

ଭୁବନେଶ୍ୱର : ଚିନ୍ତା ବଢ଼ାଇଲା ପାଣିପାଗ ବିଭାଗ । ଚଳିତ ବର୍ଷ କମ୍ ହେବ ବର୍ଷା । ‘ଏଲ୍ ନିନୋ’ ସାଜିବ ବାଧକ! । ଏଥର ମୌସୁମୀ ବର୍ଷା ୯୦ ପ୍ରତିଶତକୁ ଖସିଲା । ଯାହା ଚାଷୀକୂଳ ପାଇଁ ବଡ଼ ଚେତାବନୀ! । ଚଳିତ ବର୍ଷ ମୌସୁମୀ ବର୍ଷାକୁ ନେଇ ସାରା ଦେଶ ପାଇଁ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଚଳିତ ବର୍ଷ ସ୍ୱାଭାବିକଠାରୁ କମ୍ ବର୍ଷା ହେବାର ଆଶଙ୍କା ରହିଛି। ପୂର୍ବରୁ ଏପ୍ରିଲ ମାସରେ ୯୨ ପ୍ରତିଶତ ବର୍ଷା ହେବ ବୋଲି କହିଥିଲା IMD । ଏବେ ତାହାକୁ ଆହୁରି କମାଇ ୯୦ ପ୍ରତିଶତ କରିଦେଇଛି। ବିଗତ କିଛି ଦଶନ୍ଧି ମଧ୍ୟରେ ଏହା ସବୁଠାରୁ କମ୍ ପ୍ରାକ୍-ମୌସୁମୀ ପୂର୍ବାନୁମାନ ବୋଲି କୁହାଯାଉଛି।ସାଧାରଣତଃ ମୌସୁମୀ ଋତୁରେ ଦେଶରେ ହାରାହାରି ୮୭ ସେଣ୍ଟିମିଟର ବର୍ଷା ହୋଇଥାଏ। କିନ୍ତୁ ଏଥର ମାତ୍ର ୭୮ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ଅଛି । ଯାହା ସମ୍ପୂର୍ଣ୍ଣ ଭାବେ ‘ସ୍ୱାଭାବିକଠାରୁ କମ୍’ ବର୍ଗରେ ଆସୁଛି। ପାଣିପାଗ ବିଭାଗ ଅନୁଯାୟୀ କମ୍ କିମ୍ବା ନିଅଣ୍ଟିଆ ବର୍ଷା ହେବାର ସମ୍ଭାବନା ପ୍ରାୟ ୮୪ ପ୍ରତିଶତ ରହିଛି। ଉତ୍ତର-ପୂର୍ବ ଭାରତରେ ସ୍ୱାଭାବିକ ବର୍ଷା ସମ୍ଭାବନା ଅଛି ।

ସେହିପର ଉତ୍ତର-ପଶ୍ଚିମ, ମଧ୍ୟ ଏବଂ ଦକ୍ଷିଣ ଭାରତରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ। ମୌସୁମୀ କୋର୍ ଜୋନ୍ ବା ଦେଶର ଯେଉଁ ସବୁ ପ୍ରମୁଖ ଅଞ୍ଚଳ ଚାଷ ପାଇଁ ସମ୍ପୂର୍ଣ୍ଣ ବର୍ଷା ଉପରେ ନିର୍ଭର କରନ୍ତି ସେଠାରେ ବର୍ଷାର ପରିମାଣ ୯୪ ପ୍ରତିଶତରୁ କମ୍ ରହିବ। ମୌସୁମୀର ପ୍ରଥମ ମାସ ଅର୍ଥାତ୍ ଜୁନରେ ବର୍ଷା ବହୁତ କମ୍ ହେବ ଏବଂ ଅଧିକାଂଶ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ତେବେ ବର୍ଷା କମିବାର ମୁଖ୍ୟ କାରଣ ହେଉଛି ଏଲ୍ ନିନୋ । ପାଣିପାଗ ବିଜ୍ଞାନୀଙ୍କ ଅନୁଯାୟୀ, ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହେଉଥିବା ‘ଏଲ୍ ନିନୋ’ ସ୍ଥିତି ଧୀରେ ଧୀରେ ଅଧିକ ସକ୍ରିୟ ଓ ଶକ୍ତିଶାଳୀ ହେବାରେ ଲାଗିଛି। ଏହା ସହିତ ଭାରତ ମହାସାଗରୀୟ ଦ୍ୱିପାକ୍ଷିକ ସ୍ଥିତି ମଧ୍ୟ ବର୍ତ୍ତମାନ ନିରପେକ୍ଷ ରହିଛି। ବିଗତ କିଛି ବର୍ଷ ଧରି ଭଲ ବର୍ଷା ହେବା ପରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏଲ୍ ନିନୋ ପ୍ରଭାବରେ ମୌସୁମୀ ଦୁର୍ବଳ ହେବାକୁ ଯାଉଛି। କମ୍ ବର୍ଷା ହେବା କାରଣରୁ ଦେଶରେ କେତେକ ବଡ଼ ସମସ୍ୟା ଦେଖାଦେଇପାରେ । ପ୍ରଥମ ଚାଷ ଉପରେ ସଙ୍କଟ । ମଧ୍ୟ ଏବଂ ଉତ୍ତର-ପଶ୍ଚିମ ଭାରତରେ ଧାନ, ମକା ଓ ଡାଲି ଜାତୀୟ ଖରିଫ୍ ଚାଷ ଗମ୍ଭୀର ଭାବେ ପ୍ରଭାବିତ ହୋଇପାରେ। ଚାଷୀମାନଙ୍କୁ କମ୍ ପାଣି ଆବଶ୍ୟକ କରୁଥିବା ଏବଂ ମରୁଡ଼ି ସହ୍ୟ କରିପାରୁଥିବା ବିହନ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ନଦୀ ଓ ଜଳାଶୟଗୁଡ଼ିକରେ ଜଳସ୍ତର ହ୍ରାସ ପାଇପାରେ । ଯାହାଦ୍ୱାରା ପାନୀୟ ଜଳ ଏବଂ ଜଳସେଚନ ପାଇଁ ସମସ୍ୟା ଉପୁଜିବ। ଅର୍ଥନୀତି ଉପରେ ଚାପ ମଧ୍ୟ ପଡିପାରେ । ଖାଦ୍ୟ ସାମଗ୍ରୀର ଦରଦାମ୍ ବୃଦ୍ଧି ପାଇବା ସହ ଗ୍ରାମୀଣ ଆୟ ଏବଂ ଦେଶର ମୋଟ ଜିଡିପି ଅଭିବୃଦ୍ଧି ଉପରେ ଏହାର ପ୍ରଭାବ ପଡ଼ିପାରେ। ସାମଗ୍ରିକ ଭାବେ ବର୍ଷାର ପରିମାଣ କମ୍ ରହିବା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ। ପାଣିପାଗ ବିଭାଗ ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥାକୁ ଜଳ ପରିଚାଳନା ପାଇଁ ଆଗୁଆ ଜରୁରୀକାଳୀନ ଯୋଜନା ପ୍ରସ୍ତୁତ ରଖିବାକୁ କହିଛି। ଜୁନ୍ ଶେଷ ସପ୍ତାହରେ ପରବର୍ତ୍ତୀ ଆକଳନ ଜାରି କରାଯିବ।

Leave a Reply

Your email address will not be published. Required fields are marked *