Spread the love

ନୂଆଦିଲ୍ଲୀ : NEET-UG ୨୦୨୬ ପରୀକ୍ଷାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ NEET-UG ୨୦୨୬ ପୁନଃ ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରାଯାଇଛି । ନୂତନ ନିଷ୍ପତ୍ତି ଅନୁଯାୟୀ, NEET (UG) 2026 ପୁନଃ ପରୀକ୍ଷା ୨୦୨୬, ଜୁନ୍ ୨୧ (ରବିବାର) ଦିନ ଅନୁଷ୍ଠିତ ହେବ ।

ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଯୋଗୁଁ ବାତିଲ ହୋଇଥିବା ଏହି ପରୀକ୍ଷା ଏବେ ପୁଣି ଥରେ ଅନୁଷ୍ଠିତ ହେବାକୁ ଯାଉଛି । ଗତ ମେ’ ୩ ତାରିଖରେ ହୋଇଥିବା ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଏବଂ ଅନ୍ୟାନ୍ୟ ଅନିୟମିତତା ଅଭିଯୋଗ ପରେ ଭାରତ ସରକାରଙ୍କ ଅନୁମୋଦନ କ୍ରମେ NTA ଏହି ପରୀକ୍ଷାକୁ ବାତିଲ କରିଥିଲା । ତେବେ ଯେଉଁ ଛାତ୍ରଛାତ୍ରୀମାନେ ପୂର୍ବରୁ ଆବେଦନ କରିଥିଲେ ଓ ମେ’ ୩ ପରୀକ୍ଷା ପାଇଁ ଯୋଗ୍ୟ ଥିଲେ, ସେମାନେ ଏହି ପୁନଃ ପରୀକ୍ଷାରେ ଭାଗ ନେଇପାରିବେ ।

NTA ସୂଚନା ଅନୁଯାୟୀ, ପରୀକ୍ଷାର୍ଥୀଙ୍କୁ ପୁଣି ଥରେ ନୂତନ ଭାବେ ଆବେଦନ କରିବାକୁ ପଡ଼ିବ ନାହିଁ କିମ୍ବା କୌଣସି ଅତିରିକ୍ତ ଫି’ ଦେବାକୁ ହେବ ନାହିଁ । ପୂର୍ବ ପଞ୍ଜୀକରଣ ହିଁ ବୈଧ ରହିବ । ସେହିପରି ପରୀକ୍ଷା ପୂର୍ବରୁ NTA ତାର ଅଫିସିଆଲ୍ ୱେବସାଇଟରେ ନୂଆ ଆଡମିଟ୍ କାର୍ଡ ଏବଂ ପରୀକ୍ଷା କେନ୍ଦ୍ର ସୂଚନା ଜାରି କରିବ । ଏହି ପରୀକ୍ଷା ପୂର୍ବ ପରି ଅଫଲାଇନ୍ (Pen and Paper Mode) ରେ ହେବ ।

ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କୁ କୌଣସି ଗୁଜବରେ ବିଶ୍ୱାସ ନକରି କେବଳ NTAର ଅଫିସିଆଲ୍ ୱେବସାଇଟ୍ (neet.nta.nic.in) ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି । ଏହି ନିଷ୍ପତ୍ତି ଦ୍ୱାରା ଦେଶର ପ୍ରାୟ ୨୨ ଲକ୍ଷରୁ ଅଧିକ ମେଡିକାଲ୍ ଆଶାୟୀଙ୍କ ଭବିଷ୍ୟତ ସ୍ଥିର ହେବାକୁ ଯାଉଛି । NTA ପକ୍ଷରୁ ଏଥର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *